କୋରୋନା ଭାଇରସଠାରୁ ରୁହନ୍ତୁ ସତର୍କ : ଏୟାରପୋର୍ଟରେ ଯାତ୍ରୀଙ୍କ ଯାଞ୍ଚ ଆରମ୍ଭ
18/01/2020 at 4:16 PM

ନୂଆଦିଲ୍ଲୀ ୧୮/୧: ଚୀନରେ କୋରୋନା ଭାଇରସ୍ ବ୍ୟାପିବା ଖବରକୁ ଆଖି ଆଗରେ ରଖି ସରକାର ଏକ ଯାତ୍ରା ପରାମର୍ଶ ଜାରି କରି ନାଗରିକଙ୍କୁ ଏଥିରୁ ବର୍ତ୍ତିବା ପାଇଁ କିଛି ଉପାୟ ପାଳନ କରିବାକୁ କହିଛନ୍ତି। ଏହି ଭାଇରସ୍ ଯୋଗୁଁ ଶ୍ବାସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି ଯେ କୋରୋନା ଭାଇରସର ସଞ୍ଚରଣ ବିଷୟରେ ଏବେ ସ୍ଥିତି ସ୍ପଷ୍ଟ ନାହିଁ,କିନ୍ତୁ ଚୀନ ଯାତ୍ରା କରୁଥିବା ଲୋକଙ୍କୁ ସତର୍କ କରାଯାଉଛି ଯେ ସେମାନେ କ୍ଷେତ,ପଶୁଙ୍କ ବଜାର କିମ୍ବା କଂସେଇଖାନା ଯାଆନ୍ତୁ ନାହିଁ।

ଏହା ସହିତ ଲୋକଙ୍କୁ କଞ୍ଚା କିମ୍ବା ଅଧା ରୋଷେଇ ହୋଇଥିବା ମାଂସ ନଖାଇବାକୁ ପରାମର୍ଶ ଜାରି କରାଯାଇଛି। ପରାମର୍ଶରେ କୁହାଯାଇଛି ଯେ ଯେଉଁମାନେ ଅସୁସ୍ଥ ସେମାନଙ୍କ ସହ ମିଶିବା ଅନୁଚିତ୍। ବିଶେଷ କରି କାଶ,ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରନ୍ତୁ ନାହିଁ। ଯଦି ଶ୍ବାସ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଯାତ୍ରୀଙ୍କୁ ମାସ୍କ ପିନ୍ଧିବାର ପରାମର୍ଶ ଦିଆଯାଇଛି।

ଚୀନ ଯାତ୍ରା କରୁଥିବା ଲୋକଙ୍କୁ ପରାମର୍ଶ ଦିଆଯାଇଛି ଯେ ବ୍ୟକ୍ତିଗତ ସ୍ବଚ୍ଛତାର ଧ୍ୟାନ ରଖିବା,ସାବୁନରେ ସବୁବେଳେ ହାତ ଧୋଇବା ,ଛିଙ୍କିବାବେଳେ ପାଟିରେ ହାତ ଦେବା ଭଳି ଶିଷ୍ଟାଚାର ପାଳନ କରିବା ଉଚିତ୍। ଜାନୁୟାରୀ ୧୧ ସୁଦ୍ଧା ୪୧ଟି କୋରୋନା ଭାଇରସ୍ ସଂକ୍ରମଣର ମାମଲା ଆସିଛି ଏବଂ ସେଥିରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଛି।

ଭାଇରସକୁ ଧ୍ୟାନରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ, ପଡ଼ୋଶୀ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଦିଲ୍ଲୀ,ମୁମ୍ବାଇ ଏବଂ କୋଲକାତାର ବିମାନ ବନ୍ଦରରେ ଥର୍ମାଲ୍ ସ୍କାନରରେ ଯାଞ୍ଚ କରିବାକୁ ନିର୍ଦେଶ ଦେଇଛି।

କୋରୋନା ଭାଇରସ୍ ସଂକ୍ରମଣରେ ଥଣ୍ଡା,ନିଃଶ୍ବାସ ନେବାକୁ ଅସୁବିଧା,ଜ୍ବର ଏବଂ ଥକ୍କାପଣର ହୋଇଥାଏ। କେତେକ କୋରୋନା ଭାଇରସ୍ ପଶୁଙ୍କଠାରୁ ବ୍ୟାପିଥାଏ,ଆଉ କେତେକ କୋରୋନା ଭାଇରସ୍ ମନୁଷ୍ୟଠୁ ମନୁଷ୍ୟକୁ ବ୍ୟାପିଥାଏ।

ଏହି ସବୁ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ ;
- ସିଫୁଡ ଖାଇବାଠୁ ଦୂରରେ ରୁହନ୍ତୁ ଏବଂ ସିଫୁଡ ବଜାରକୁ ମଧ୍ୟ ଯାଆନ୍ତୁ ନାହିଁ।
- କୃଷି ଫାର୍ମ,ପଶୁଙ୍କ ବଜାରକୁ ଯାଆନ୍ତୁ ନାହିଁ
- କଂସେଇଖାନା ଯାଆନ୍ତୁ ନାହିଁ,କଞ୍ଚା କିମ୍ବା ଅଧା ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ।
- ଅସୁସ୍ଥ ଲୋକଙ୍କ ସହ ମିଳାମିଶା କରନ୍ତୁ ନାହିଁ।
- ଶ୍ବାସ ସମ୍ବନ୍ଧୀୟ ସମସ୍ୟା ଥିଲେ ଯାତ୍ରୀମାନେ ମାସ୍କ ପିନ୍ଧି ଯାତ୍ରା କରନ୍ତୁ।
- ସାବୁନରେ ହାତ ଧୁଅନ୍ତୁ।
- ଛିଙ୍କିବାବେଳେ ପାଟିରେ ହାତ ଦିଅନ୍ତୁ।
