କରୋନା ମୃତ୍ୟୁରେ ଭାରତ ବିଶ୍ୱର ୩ ନମ୍ବର ଦେଶ, ପଛକୁ ହଟିଲା ମେକ୍ସିକୋ

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୮:  ଅଗଷ୍ଟ ମାସ ନ ସରୁଣୁ କରୋନା ମୃତ୍ୟୁରେ ବିଶ୍ୱର ଶୀର୍ଷ ଦେଶଙ୍କ ସୂଚୀର ୩ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି ଭାରତ। କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହିସାବରୁ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ପାଲଟିଛି। ଆମେରିକା ଓ ବ୍ରାଜିଲ ପରେ  କରୋନା ମହାମାରୀରେ ଏବେ ଭାରତ ସର୍ବାଧିକ ପ୍ରଭାବିତ ହୋଇଛି। ଏହା ପୂର୍ବରୁ ମେକ୍ସିକୋ ଏହି ସୂଚୀର ତୃତୀୟ ସ୍ଥାନରେ ଥିଲା।

ମେକ୍ସିକୋରେ କରୋନା ଯୋଗୁ ସର୍ବାଧିକ ୬୩ ହଜାର ୧୪୬ ଜଣ ଲୋକଙ୍କ ମୃତ୍ୟୁ ହେଲାଣି।  ଭାରତରେ ୬୩ ହଜାର ୪୯୮ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟହାରରେ ତୃତୀୟ ସ୍ଥାନକୁ ପହଞ୍ଚିଛି। ତେବେ କରୋନା ଯୋଗୁ ମୃତ୍ୟୁ ମାମଲାରେ ଆମେରିକା ଏବେବି ତାଲିକାର ପ୍ରଥମ ସ୍ଥାନରେ ଅଛି। ଏଠାରେ ଏପର୍ଯ୍ୟନ୍ତ  ୧ଲକ୍ଷ ୮୬ ହଜାର ୮୫୫ ଜଣଙ୍କ ମୃତ୍ୟୁ ହେଲାଣି। ଆମେରିକାରେ ଗତ ୨୪ ଘଣ୍ଟାରେ ୭୮ ହଜାର ୭୬୧ ନୂଆ ମାମଲା ସାମନାକୁ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ ୯୪୮ଜଣଙ୍କ ମୃତ୍ୟୁ ହୋଇଛି।

ଭାରତ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫ଲକ୍ଷ ୪୨ ହଜାରରେ ପହଞ୍ଚିଛି। ଏଥିରୁ ୬୩ ହଜାର ୪୯୮ ଜଣଙ୍କର ମୃତ୍ୟୁ ହେଲାଣି। ଦେଶରେ ଏବେବି ଆକ୍ଟିଭ କେସ୍ ସଂଖ୍ୟା ୭ଲକ୍ଷ ୬୫ ହଜାରରୁ ବି ଅଧିକ ରହିଛି। ରିପୋର୍ଟ ଅନୁସାରେ ୨୭ ଲକ୍ଷ ୧୩ ହଜାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମଣର ସକ୍ରିୟ ମାମଲା ସଂଖ୍ୟାରୁ ସୁସ୍ଥତା ହାର ପ୍ରାୟ ୩ ଗୁଣାରୁ ବି ଅଧିକ। ତେବେ ଦେଶରେ କରୋନା ମୃତ୍ୟୁ ହାର ଓ ଆକ୍ଟିଭ କେସ୍ ହାର ନିୟମିତ ହ୍ରାସ ହେବାରେ ଲାଗିଛି।

ଏବେ ମୃତ୍ୟୁ ହାର ହ୍ରାସ ହୋଇ ୦୧.୮୦ ପ୍ରତିଶତ ରହିଛି। ସେହିପରି ଚିକିତ୍ସାଧିନ ଆକ୍ଟିଭ କେସ୍ ମଧ୍ୟ ହ୍ରାସ ହୋଇ ୨୨ ପ୍ରତିଶତକୁ ପହଞ୍ଚିଲାଣି। ରିକଭରି ଅର୍ଥତା ସୁସ୍ଥତା ହାର ୭୬ ପ୍ରତିଶତକୁ ଛୁଇଁଛି। ଭାରତରେ ରିକଭରି ହାର ଲଗାତାର ବଢି ବଢି ଚାଲିଛି। ଆକ୍ଟିଭ କେସ ମାମଲାରେ ମହାରାଷ୍ଟ୍ର ଏବେବି ଦେଶର ରାଜ୍ୟଙ୍କ ସୂଚୀର ଶୀର୍ଷରେ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତଥ୍ୟରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.