ବିଦେଶୀ ନିବେଶକଙ୍କୁ ଭାରି ପସନ୍ଦ ଭାରତ, ୨୦୨୧-୨୨ରେ ରେକର୍ଡ ନିବେଶ, ଏହି ସେକ୍ଟରରେ ବମ୍ପର ଇନଭେଷ୍ଟମେଣ୍ଟ

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ: ଗୋଟିଏ ପଟେ ମହଙ୍ଗା ମୋର୍ଚ୍ଚାରେ ନିରାଶଜନକ ଖବର ମିଳୁଥିବା ବେଳେ ଅନ୍ୟପଟେ ବିଦେଶୀ ନିବେଶ ମାମଲାରେ ଭାରତ ପାଇଁ ଆସିଛି ସୁଖବର। ବିଦେଶୀ ନିବେଶକ ଭାରତରେ ସଂପ୍ରତି ଖୁବ୍ ନିବେଶ କରୁଛନ୍ତି। ନିବେଶ କ୍ଷେତ୍ରରେ ଭାରତ ମନ ପସନ୍ଦର ଦେଶ ହେବାକୁ ଯାଉଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶକୁ ରେକର୍ଡ ସଂଖ୍ୟାରେ ବିଦେଶୀ ନିବେଶର ଆଗମନ ଘଟିଛି। ଏହାର ସୂଚନା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦେଇଛି। ମନ୍ତ୍ରଣାଳୟ ଶୁକ୍ରବାର କହିଛି, ଭାରତ ଆର୍ଥିକ ବର୍ଷ ୨୦୨୧-୨୨ରେ ୮୩.୫୭ ଅରବ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ବିଦେଶ ନିବେଶ ଅର୍ଥାତ ଏଫଡିଆଇ  ହାସଲ କରିଛି। ଏହା ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ବିଦେଶୀ ନିବେଶ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତକୁ ଆର୍ଥିକ ବର୍ଷ ୨୦୨୧-୨୨ରେ ୮୩.୫୭ ଅରବ ଆମେରିକୀୟ ଡଲାର  ବିଦେଶୀ ନିବେଶ ଆସିଛି। ଏହା ପୂର୍ବରୁ ଆର୍ଥିକ ବର୍ଷ ୨୦୨୦-୨୧ରେ ଏଫଡିଆଇ ୮୧.୯୭ ଅରବ ଡଲାର ଆସିଥିଲା। ଭାରତରେ ନିବେଶ କରୁଥିବା ପ୍ରମୁଖ ନିବେଶ ଦେଶଗୁଡିକ ମଧ୍ୟରେ ସିଙ୍ଗାପୁର ୨୭ ପ୍ରତିଶତ ସହିତ ପ୍ରଥମ ସ୍ଥାନରେ ରହିଛି। ଏହାପରେ ଆମେରିକା ୧୮ ପ୍ରତିଶତ ସହିତ ଦ୍ଵିତୀୟ ଏବଂ ମରିସସ ୧୬ ପ୍ରତିଶତ ତୃତୀୟ ସ୍ଥାନରେ ରହିଛି।

ମ୍ୟାନୁଫେକଚରିଂ ସେକ୍ଟରରେ ଭାରତ ସଭିଙ୍କ ମନ ପସନ୍ଦର ପ୍ରଥମ ସ୍ଥାନ ପାଲଟିଛି। ମ୍ୟାନୁଫେକଚରିଂ ସେକ୍ଟରରେ ଆର୍ଥିକ ବର୍ଷ ୨୦୨୧-୨୨ରେ  ୨୧.୩୪ ଅରବ ଡଲାରର ବିଦେଶୀ ନିବେଶ ଆସିଛି। ଭାରତରେ କମ୍ପ୍ୟୁଟର ସପ୍ଟଓ୍ଵେର ଏବଂ ହାର୍ଡଓ୍ଵେର ସେକ୍ଟରରେ ସବୁଠୁ ଅଧିକ ବିଦେଶୀ ନିବେଶ ଦେଖିବାକୁ ମିଳିଛି। ଏହା ପରେ ଅଟୋ ମୋବାଇଲ ଇଣ୍ଡଷ୍ଟ୍ରୀରେ ସବୁଠୁ ଅଧିକ ବିଦେଶୀ ନିବେଶ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.