LACରେ ବଢିଲା ଉତ୍ତେଜନା: ଲଦାଖରେ ଚୀନ୍ ଜମା କଲା ୫୦୦୦ ସୈନିକ, ଜବାବ ଦେଲା ଭାରତ- ମୁତୟନ କଲା ବରାବର ଯବାନ
25/05/2020 at 7:12 PM

ନୂଆଦିଲ୍ଲୀ ୨୫।୦୫: ଭାରତ ଓ ଚୀନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢିବାରେ ଲାଗିଛି। ଚୀନ ଲଦାଖ ସେକ୍ଟରରେ ବାସ୍ତବ ନିୟନ୍ତ୍ରଣ ରେଖା(LAC) ନିକଟରେ ଅଲଗା ଅଲଗା ସ୍ଥାନରେ ୫୦୦୦ ସୈନିକ ମୁତୟନ କରିଛି। ଭାରତ ମଧ୍ୟ ଜବାବ ସ୍ଵରୂପ ସେହି ଅନୁପାତରେ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିଛି। ଭାରତ ଡ୍ରାଗନର ପ୍ରତିଟି ଦୁଃସାହାସର ଜବାବ ଦେବାକୁ ଅନ୍ୟ ଅଞ୍ଚଳରେ ମଧ୍ୟ ସୈନିକଙ୍କ ମୁତୟନ ସଂଖ୍ୟା ବଢାଇ ଦେଇଛି। ଯେମିତି ଚୀନ ସେନା ସୀମା ଭିତରକୁ ପଶି ପାରିବେ ନାହିଁ।
ଚୀନ ବଡ ସଂଖ୍ୟାରେ ନିଜର ସୈନିକଙ୍କୁ ବାସ୍ତବ ନିୟନ୍ତ୍ରଣ ରେଖାକୁ ପଠାଇଛି। ଚୀନ ସୈନିକକୁ ରୋକିବା ଲାଗି ଭାରତ ମଧ୍ୟ ଦୌଲତବଗ ଓଲ୍ଡି ଓ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ସେନାର ୮୧ ଓ ୧୧୪ ବିଗ୍ରେଡ୍ ମୁତୟନ କରିଛି। ବାୟୁସେନା ଜରିଆରେ ହେଲିକପ୍ଟର ଯୋଗେ ସୈନିକଙ୍କୁ ପଠାଯାଉଛି।
ଭାରତୀୟ ସେନା ସୂତ୍ର ଅନୁଯାୟୀ, ଚୀନର ସୈନିକ ସହିତ ଅଧିକ ସଂଖ୍ୟାରେ ଗାଡି ପ୍ୟାଙ୍ଗୋଗ ହ୍ରଦ ଓ ଫିଙ୍ଗର ଏରିଆରେ ଡି ଲାଇନ୍ ଅଫ ଏକ୍ଚୁଆଲ କଣ୍ଟ୍ରୋଲର ଦୁଇ ପକ୍ଷରେ ଜମା ହୋଇ ସାରିଛନ୍ତି। ଗଲଭାନ ନାଲା ଅଞ୍ଚଳରେ ଚୀନୀ ସେନା ଭାରତୀୟ ପୋଷ୍ଟ KM120ରୁ ୧୦-୧୫ କିଲୋମିଟର ଦୂର ପର୍ଯ୍ୟନ୍ତ ଚାଲି ଆସିଛନ୍ତି। ସେଠାରେ ଟେଣ୍ଟ ଗାଡି ରହିବା ଆରମ୍ଭ କରିଛନ୍ତି।

ସୂତ୍ର ଅନୁଯାୟୀ ଚୀନୀ ସେନା ଭାରତୀୟ ସୈନ୍ୟ ଶିବିର ସାମ୍ନାରେ ସଡକ ନିର୍ମାଣ କରୁଛନ୍ତି। ଭାରତୀୟ ପକ୍ଷ ଏହାକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି। ଏହା ପରେ ଚୀନର ଭିତ୍ତିଭୂମି ନିର୍ମାଣ ଜାରି ରହିଛି। ଗଲଭାନ ଅଞ୍ଚଳରେ ଭାରତୀୟ ସେନା ମଧ୍ୟ ଏକ ପୋଲ ନିର୍ମାଣ କରୁଛି ଯାହା ଉପରେ ଚୀନ ସେନା ଆପତ୍ତି ଉଠାଇ ସୈନ୍ୟ ସଂଖ୍ୟା ବଢାଇ ଦେଇଛନ୍ତି।
ସାଧାରଣତଃ ଭାରତୀୟ ପୋଷ୍ଟ KM120ରେ ଭାରତୀୟ ସେନା ଓ ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ୍ର ଯବାନ ସହିତ ୨୫୦ ସୈନିକ ମୁତୟନ ଥାନ୍ତି। ମାତ୍ର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟରେ ସୈନିକ ଓ ଉପକରଣ ସହିତ ପୋଷ୍ଟ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି। ଏହା ଦ୍ଵାରା ଚୀନର ଆକ୍ରମଣକୁ ରୋକା ଯାଇ ପାରିବ। ସୂତ୍ର ମୁତାବକ ଡିବିଓ ସେକ୍ଟରରେ ଭାରତୀୟ ପୋଜିସନ ନିକଟରେ ଏକ ଏୟାରଫିଲ୍ଡ ନିର୍ମାଣ କରିବା ପୁରୁଣା ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଛି। ଏହା ନିର୍ମାଣ ହେଲେ ଚୀନ ସେନା ଭାରତୀୟ ସେନାର ଗତିବିଧି ଦେଖି ପାରିବେ ନାହିଁ।
ଏହା ବ୍ୟତୀତ ହିମାଚଳରେ ସେକ୍ଟର ଓ ଉତ୍ତରାଖଣ୍ଡ ବର୍ଡର ସହିତ ଏଲଏସି ସେଣ୍ଟ୍ରାଲ ସେକ୍ଟରରେ ମଧ୍ୟ ଭାରତୀୟ ସେନାର ଉପସ୍ଥିତିକୁ ବଢାଇ ଦିଆଯାଇଛି। ପାଟ୍ରୋଲିଂକୁ ଜୋରଦାର କରାଯାଇଛି। କୌଣସି ପ୍ରକାରରେ ଚୀନର ଜବରଦଖଲକୁ ରୋକିବା ଲାଗି କିମ୍ବା ସୀମା ଉଲ୍ଲଂଘନକୁ ରୋକିବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛନ୍ତି। ଏବେ ଏଲଏସିରେ ଚୀନ ଯେଉଁ ପରିମାଣରେ ସୈନ୍ୟ ମୁତୟନ କରୁଛି ଭାରତ ମଧ୍ୟ ସେହି ପରିମାଣରେ ସୈନିକ ମୁତୟନ କରି ଚାଲିଛି।