ରପ୍ତାନୀ ଉପରେ ରୋକ୍ ଲଗାଇଲା ଭାରତ: ନେପାଳରେ ପିଆଜ ଦର ଆକାଶ ଛୁଆଁ, ୪ ଦିନରେ କିଲୋ ପହଞ୍ଚିଲାଣି ୧୫୦ ଟଙ୍କାରେ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭।୦୯:  ଭାରତ ସରକାରଙ୍କ ପକ୍ଷରୁ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ପଡୋଶୀ ଦେଶ ନେପାଳରେ ପିଆଜ ଦର ଆକାଶ ଛୁଆଁ ହୋଇଛି। କିଛି ଦିନ ପୂର୍ବେ କିଲୋ ପିଛା ୨୦ ରୁ ୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ପିଆଜ ଦର ଏବେ ୧୫୦ ଟଙ୍କାରେ ପହଞ୍ଚିଛି। ଅନେକ ସ୍ଥାନରେ ବ୍ୟବସାୟୀ ଜମାଖୋରୀ ସହିତ କଳାବଜାରୀ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ସ୍ଥିତି ଯାହା ରହିଛି ଆଗାମୀ ଦିନରେ ନେପାଳରେ ପିଆଜ ଦର ଆହୁରି ବଢିପାରେ। ଭାରତ ଦକ୍ଷିଣ ଏସିଆରେ ପିଆଜର ସବୁଠୁ ବଡ ଉତ୍ପାଦନକାରୀ ଦେଶ। ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଓ ମାଲେସିଆ ଭାରତୀୟ ପିଆଜ ଉପରେ ନିର୍ଭରଶୀଳ।

ନେପାଳି ନ୍ୟୁଜ୍ ଓ୍ଵେବ୍‌ସାଇଟ୍‌ କାନ୍ତିପୁରର ରିପୋର୍ଟ ଅନୁଯାୟୀ କାଠମାଣ୍ଡୁର ହରିତ ସାମୁଦାୟିକ କୃଷି ବଜାର ତିନକୁନେମାରେ ଗୁରୁବାର ସକାଳେ ପିଆଜ କିଲୋ ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଥିଲା। ଦୋକାନୀ ହୋଲସେଲରେ ୭୦ ଟଙ୍କାରେ କିଣୁଥିବା ବେଳେ ଖୁଚୁରା ବଜାରରେ ପିଆଜ ଦାମ ୧୨୦ ରୁ ୧୫୦ ଟଙ୍କା ରହିଛି।

କାଲିମାଟି ପରିବା ଓ ଫଳ ବଜାର ବିକାଶ ସମିତି ଅନୁଯାୟୀ ସୋମବାର ହୋଲସେଲ ବଜାରରେ ପିଆଜ ଦାମ କିଲୋ ପିଛା ୫୯ ରୁ ୬୧ ଟଙ୍କା ମଧ୍ୟରେ ଥିଲା। ମାତ୍ର ମଙ୍ଗଳବାର ଏହାର ମୂଲ୍ୟ ୭୪ ରୁ ୭୬ ଟଙ୍କା ପର୍ଯ୍ୟନ୍ତ ବଢିଥିଲା। ଭାରତ ପକ୍ଷରୁ ରପ୍ତାନୀରେ କଟକଣା ଲଗାଯିବା ପରେ ପ୍ରତିଦିନ ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି।

ଭାରତର  ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଆଧାରରେ ବୈଦେଶିକ ବ୍ୟାପାର ନିର୍ଦ୍ଦେଶାଳୟ ସୋମବାର ସବୁ ପ୍ରକାରର ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନୋଟିସ୍ ଜାରି କରାଯାଇଥିଲା। କାରଣ ଭାରତରେ ପିଆଜ ଦର ମଧ୍ୟ ବଢିବାରେ ଲାଗିଛି। କାରଣ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା କାରଣରୁ ପିଆଜ ଉତ୍ପାଦନ ହ୍ରାସ ପାଇଛି। କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ସହିତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକରେ ଲଗାତାର ବର୍ଷା କାରଣରୁ ପିଆଜ ଉତ୍ପାଦନରେ କ୍ଷତି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.