ଋଷ ସହ ଦୁଇ ଦିନିଆ ସମରାଭ୍ୟାସ ଆରମ୍ଭ କଲା ଭାରତୀୟ ନୌସେନା, ମାସେ ପୂର୍ବରୁ ମାଲବାରରେ ଦମ୍ ଦେଖାଇଥିଲା ଭାରତ
4/12/2020 at 8:19 PM

ନୂଆଦିଲ୍ଲୀ ୦୪/୧୨: ମାଲବାରରେ ସମରାଭ୍ୟାସ ପରେ ଏବେ ଋଷ ସହ ଦୁଇ ଦିନିଆ ନୌସେନା ସମରାଭ୍ୟାସ ଆରମ୍ଭ କରିଛି ଭାରତ। ପୂର୍ବ ଭାରତ ମହାସାଗରୀୟ କ୍ଷେତ୍ରରେ ଭାରତ ଓ ଋଷ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି ଦୁଇ ଦିନିଆ ସମରାଭ୍ୟାସରେ ଭାରତୀୟ ନୌସେନା ଆଏନଏସ୍ ଶିବାଲିକ୍ ଓ ଯୁଦ୍ଧପୋତ ଆଏନଏସ୍ କାଡମାଟ ସମେତ ହେଲିକପ୍ଟର ନିୟୋଜିତ କରିଛି। ସେପଟେ ଋଷ ମିସାଇଲ୍ କ୍ରୁଜ୍ ଭାରିୟାଗ, ସବ୍ମରିନ୍ ଆଡମିରାଲ୍ ପାଣ୍ଟିଲିଏଭ୍ ଓ ଓସେନ୍ ଟ୍ୟାଙ୍କର ପେଚେଙ୍ଗା ସମରାଭ୍ୟାସ୍ରେ ନିୟୋଜିତ କରିଛି।
ଦୁଇ ନୌସେନା ମଧ୍ୟରେ ଉତ୍ତମ ସମନ୍ବୟ, ଯୁଦ୍ଧାସ୍ତ୍ର ପ୍ରୟୋଗ କୌଶଳ, ହେଲିକପ୍ଟର ପରିଚାଳନା ଆଦି ସମରାଭ୍ୟାସ ଯୋଗୁ ବୃଦ୍ଧି ଘଟିବ ବୋଲି ନେଭି ପ୍ରବକ୍ତା କମାଣ୍ଡର ବିବେକ ମାଧଓ୍ବାଲ କହିଛନ୍ତି। ସମୁଦ୍ରରେ ଦୁଇ ନୌସେନା ଅଧିକାଂଶ ସମୟରେ ଅଭ୍ୟାସ ଜାରି ରଖିଥାନ୍ତି। ଋଷ ସମେତ ଅନ୍ୟ ଦେଶର ନୌସେନା ସହ ଭାରତୀୟ ନୌସେନା ଅଭ୍ୟାସ କରୁଥିବା ଦେଖିବାକୁ ମିଳେ।
ସେପ୍ଟେମ୍ବର ମାସରେ ଋଷ ଓ ଭାରତ ବହୁ ଚର୍ଚ୍ଚିତ ଇନ୍ଦ୍ର ନାଭାଲ ଏକ୍ସରସାଇଜ୍ କରିଥିଲେ। ଦୁଇ ଦେଶର ତିନି ସେନା ମଧ୍ୟରେ ଯୁଦ୍ଧାଭ୍ୟାସ ପ୍ରଥମେ ଅକ୍ଟୋବର ୨୦୧୭ରେ ଭ୍ଲାଦିଭୋଷ୍ଟକରେ ହୋଇଥିଲା। ଏହାର ଦ୍ବିତୀୟ ପ୍ରର୍ଯ୍ୟାୟ ଡିସେମ୍ବର ୨୦୧୯ରେ ହୋଇଥିଲା।
ଏହା ପୂର୍ବରୁ ମାଲବାରରେ ଭାରତ, ଆମେରିକା ଓ ଜାପାନ ନୌସେନା ସମରାଭ୍ୟାସ କରିଥିଲେ। ୧୩ ବର୍ଷ ପରେ ପ୍ରଥମ ଥର ଅଷ୍ଟେ୍ରଲିଆ ଅଂଶଗ୍ରହଣ କରିଥିଲା।