'ଆତଙ୍କବାଦ ରୋକିବାକୁ ହେଲେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ', କେରଳ ବିଧାୟକ ରଖିଲେ ଯୁକ୍ତି

Published By : Prameya-News7 Bureau | April 12, 2021 IST

ଥିରୁଅନନ୍ତପୁରମ,୧୨/୦୪ :  କେରଳ ଜନପକ୍ଷମ(ସେକ୍ୟୁଲାର) ବିଧାୟକ ପିସି ଜର୍ଜ ଏକ ବଡ ବୟାନ ଦେଇଛନ୍ତି । ଆତଙ୍କବାଦ ରୋକିବା ପାଇଁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ ବୋଲି ସେ କହିଛନ୍ତି । ଏହାସହ କେରଳରେ ବାମ ଲୋକତାନ୍ତ୍ରୀକ ମୋର୍ଚ୍ଚା ଓ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ ୨୦୩୦ସୁଧା ଭାରତକୁ  ଇସଲାମିକ ଷ୍ଟେଟ୍ କରିବାକୁ ଚାହୁଁଛି । ତେଣୁ ସେ ଆତଙ୍କବାଦୀଙ୍କ ପାଇଁ କାମ କରୁଛି ବୋଲି ଜର୍ଜ ଅଭିଯୋଗ କରିଛନ୍ତି ।

ପିସି ଜର୍ଜ କେରଳର ଇଡ୍ଡକ୍କି ଜିଲ୍ଲାର ଥୋଡୁପୁଝାରେ ଆୟୋଜିତ ଏକ ବୈଠକରେ କହିଛନ୍ତି ଯେ, ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷିତ କରିବା ଦରକାର । ଏଲଡିଏଫ ଓ ୟୁଡିଏଫ ଦେଶକୁ ଏକ ଇସଲାମିକ ଷ୍ଟେଟରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ବିମୁଦ୍ରାକରଣ କରିବା ପରେ ଲୋକଙ୍କୁ ବାହାରୁ ମିଳୁଥିବା ଚାନ୍ଦା ବନ୍ଦ ହୋଇଯାଇଛି । ତେଣୁ ସେମାନେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ଲଭ୍ ଜିହାଦକୁ ନେଇ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ଲଭ୍ ଜିହାଦ ନଥିବା କହୁଛନ୍ତି । କିନ୍ତୁ ଏବେବି ଲଭ୍ ଜିହାଦ ଅଛି । ସୁପ୍ରିମକୋର୍ଟ ଭୁଲ କହିଛନ୍ତି । ଏହାକୁ ରୋକିବାକୁ ହେଲେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ହେବ । ଭାରତ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସେକ୍ୟୁଲାର ଦେଶ ଅଟେ । କିନ୍ତୁ ଏଠାରେ ଧର୍ମନିରପେକ୍ଷତା ଭିନ୍ନ ଅଟେ । ଲଭ୍ ଜିହାଦ ସହ ରାଜନୀତିରେ ସାମ୍ପ୍ରଦାୟିକତା ଭାବ ଦେଖିବାକୁ ମିଳୁଛି । ଅନ୍ୟ ରାଜ୍ୟ ତୁଳନାରେ କେରଳରେ ଏହା ଅଧିକ ରହିଛି ।

ସେ ଆହୁରି କହିଛନ୍ତି ଯେ, ବିଶ୍ୱର ୬୮ ପ୍ରତିଶତ ହିନ୍ଦୁ ଭାରତରେ ରୁହନ୍ତି । ସବୁ ଦେଶରେ କୌଣସି ନା କୌଣସି ଧର୍ମକୁ ଜୋର୍ ଦିଆଯାଏ । ଫ୍ରାନ୍ସକୁ ମୁସଲିମ ଦେଶରେ ପରିବର୍ତ୍ତନ କରିବାକୁ ଚେଷ୍ଟା ଜାରି ରହିଛି । ଇଂଲଣ୍ଡରେ ଲଗାତର ଭାବେ ଆଇଏସ ଆକ୍ରମଣ କରୁଛି ।

ସୂଚନାଯୋଗ୍ୟ, ପିସି ଜର୍ଜ କୋଟ୍ଟାୟମ ଜିଲ୍ଲାର ପୁଞ୍ଜର ନିର୍ବାଚନ ଆସନରୁ ବିଧାୟକ ରହିଛନ୍ତି । ୨୦୧୬ରେ ସେ ୟୁଡିଏଫ ଓ ଏଲଡିଏଫ ପ୍ରାର୍ଥୀଙ୍କୁ ବହୁତ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ପିସି ଜର୍ଜଙ୍କ ଦଳ ଏନଡିଏ ସହ ମେଣ୍ଟ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.