ପୁଣି ଦଳକୁ ସଙ୍କଟରେ ପକାଇଲେ ବ୍ୟାଟସମ୍ୟାନ, ଏମିତି ରହିଛି ବ୍ୟାଟିଂ ଟ୍ରାକ: ବର୍ଷକରେ କେବଳ ଥରୁଟିଏ ୩୦୦ ରନ କରି ପାରିଛି ଭାରତ

Published By : Prameya-News7 Bureau | January 09, 2021 IST

ସିଡନୀ ୦୯।୦୧: ଭାରତୀୟ କ୍ରିକେଟ୍ ଦଳ କମ୍ ସ୍କୋରରେ ଆଉଟ୍  ହେବା ଏକ ଟ୍ରେଣ୍ଡରେ ପରିଣତ ହୋଇ ଗଲାଣି। ପୁଣି ଥରେ ବ୍ୟାଟସମ୍ୟାନ ଦଳର ବୋଲରଙ୍କ ପରିଶ୍ରମକୁ ବୃଥା କରିଛନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ୨୪୪ ରନରେ ଅଲଆଉଟ୍ ହୋଇଛି। ଫଳରେ ଭ୍ରମଣକାରୀ ଆୟୋଜକ ଦଳଠୁ ପ୍ରଥମ ଇନିଂସରେ ୯୪ ରନରେ ପଛୁଆ ରହି ମ୍ୟାଚ୍‌ ହାରିବାର ଆଶଙ୍କାରେ ଫସିଯାଇଛି।

ଭାରତୀୟ ବ୍ୟାଟସମ୍ୟାନ ନୈରାଶ୍ୟଜନକ ପ୍ରଦର୍ଶନ ସିଡନୀରେ ମଧ୍ୟ ଜାରି ରହିଛି। ବ୍ୟାଟସମ୍ୟାନଙ୍କ ନିମ୍ନମାନର ପ୍ରଦର୍ଶନ ଏଥିରୁ ଅନୁମାନ କରି ପାରିବେ ଯେ,  ଏକ ବର୍ଷ ହେବ ଭାରତୀୟ ଦଳ କେବଳ ଥରୁଟିଏ ୩୦୦ରୁ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଛି। ଭାରତୀୟ ଦଳ ଗତ ୧୩ ମାସରେ ୫ ଟେଷ୍ଟ ମ୍ୟାଚ୍ ଖେଳିଛି। ଏଥିରୁ ୯ଟି ଇନିଂସରେ ଦଳର ସର୍ବୋଚ୍ଚ ସ୍କୋର ୩୨୬ ରହିଛି।

ଭାରତୀୟ ଦଳ ୨୦୧୯ ଡିସେମ୍ବର ପରେ କେବଳ ଦ୍ଵିତୀୟ ଟେଷ୍ଟ ସିରିଜ୍ ଖେଳୁଛି। ୨୦୨୦ ଫେବୃଆରୀରେ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା। ଉକ୍ତ ସିରିଜ୍‌ରେ ଭାରତ ଦୁଇଟି ଟେଷ୍ଟ ଖେଳି ଉଭୟରେ ପରାସ୍ତ ହୋଇଥିଲା। ପ୍ରଥମ ଟେଷ୍ଟରେ ଦଳ ୧୬୫ ଏବଂ ୧୯୧ ରନ କରିଥିବା ବେଳେ ଦ୍ଵିତୀୟ ଟେଷ୍ଟରେ ୨୪୨ ଏବଂ ୧୨୪ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତୀୟ ଦଳ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଖେଳୁଛି। ଏହି ଗସ୍ତରେ ମଧ୍ୟ ଦଳ ବଡ ସ୍କୋର କରିବାରେ ବିଫଳ ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଡିଲେଡ୍ ଓ ଦ୍ଵିତୀୟ ମ୍ୟାଚ୍‌ ମେଲବୋର୍ଣ୍ଣରେ ଖେଳା ଯାଇଛି। ଆଡିଲେଡ୍ ଟେଷ୍ଟରେ ୨୪୪ ରନ ଓ ୩୬ର ଲଜ୍ଜାଜନକ ସ୍କୋର କରି ମ୍ୟାଚ୍ ହାରିଥିଲା। ଏହା ପରେ ମେଲବୋର୍ଣ୍ଣ ଟେଷ୍ଟରେ ଦଳ ପ୍ରଥମ ଇନିଂସରେ ୩୨୬ ଓ ଦ୍ଵିତୀୟ ଇନିଂସରେ ୭୦/୨ ରନ କରି ବିଜୟୀ ହୋଇଥିଲା।

ପରେ ଭାରତୀୟ ଦଳ ମେଲବୋର୍ଣ୍ଣ ଟେଷ୍ଟ ଜିତିବା ପରେ ତୃତୀୟ ଟେଷ୍ଟ ପାଇଁ ସିଡନୀ ପହଞ୍ଚିଥିଲା। ହେଲେ ତୃତୀୟ ଟେଷ୍ଟରେ ଦଳ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହୋଇଥିଲା। ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ଦଳ ଉପରେ ଏବେ ପରାଜୟର ସଙ୍କଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.