ଭଲ ଖବର: ୩୦ କୋଟି ଭାରତୀୟଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା, ସରକାର ପ୍ରସ୍ତୁତ କରୁଛନ୍ତି ତାଲିକା

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ ୧୭/୧୦: କରୋନା ଟିକାକୁ ନେଇ ଭଲ ଖବର ଆସିଛି। କରୋନା ଭାଇରସ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରାଥମିକତା ଆଧାରରେ କେଉଁ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ତାର ତାଲିକା ପ୍ରସ୍ତୁତ କରାଯାଉଛି। ଏଥିରେ ହେଲଥକେୟାର ପ୍ରଫେସନାଲ, ପୋଲିସ, ସାନିଟେସନ କର୍ମଚାରୀ ସାମିଲ ରହିବେ। ପ୍ରାୟ ୩୦ କୋଟି ଲୋକଙ୍କ ପାଇଁ ୬୦ କୋଟି ଟିକା ଆବଶ୍ୟକ ପଡ଼ିବ। ପ୍ରାଥମିକତା ତାଲିକାରେ ଚାରିଟି କ୍ୟାଟାଗରି ରହିଛି। ଅର୍ଥାତ ପ୍ରାୟ ୫୦ରୁ ୭୦ ଲକ୍ଷ ହେଲଥକେୟାର ପ୍ରଫେସନାଲ, ଦୁଇ କୋଟିରୁ ଅଧିକ ଫ୍ରଣ୍ଟଲାଇନ ଓ୍ବାର୍କର, ୫୦ ବର୍ଷରୁ ଅଧିକ ବୟସର ୨୬ କୋଟି ଲୋକ ଓ ୫୦ ବର୍ଷରୁ କମ୍ ବୟସ୍କ ଓ ଅନ୍ୟ ରୋଗରେ ପୀଡ଼ିତ ଲୋକଙ୍କୁ ଦିଆଯିବ।

ଭାକସିନକୁ ନେଇ ଏକ୍ସପର୍ଟ ଗ୍ରୁପ ପ୍ଲାନ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ କହିଛନ୍ତି ଏହି ଗ୍ରୁପ ଯେଉଁ ପ୍ଲାନ ପ୍ରସ୍ତୁତ କରିଛି ସେହି ହିସାବ​‌ରେ ପ୍ରଥମ ପର୍ଯ୍ୟାୟରେ ଦେଶର ୨୩ ପ୍ରତିଶତ ଜନସଂଖ୍ୟାକୁ କଭର କରାଯିବ।

ଏକ୍ସପର୍ଟ କମିଟି ଆକଳନ କରିଛନ୍ତି ଦେଶରେ ସରକାରୀ ଓ ବେସରକାରୀ କ୍ଷେତ୍ରକୁ ମିଶାଇ ପ୍ରାୟ ୭୦ ଲକ୍ଷ ହେଲଥ ଓ୍ବାର୍କର ଅଛନ୍ତି। ଏଥିରେ ୧୧ ଲକ୍ଷ ଏମବିବିଏସ ଡାକ୍ତର, ୮ ଲକ୍ଷ ଆୟୁଷ ପ୍ରାକ୍ଟିସନର, ୧୫ ଲକ୍ଷ ନର୍ସ, ୭ ଲକ୍ଷ ଏଏନଏମ ଓ ୧୦ ଲକ୍ଷ ଆଶା ଓ୍ବାର୍କର ସାମିଲ ଅଛନ୍ତି। ତେବେ ଏ ତାଲିକା ଅକ୍ଟୋବର ଶେଷ ସୁଦ୍ଧା ବା ନଭେମ୍ବର ପ୍ରାରମ୍ଭରେ ପ୍ରସ୍ତୁତ ହୋଇପାରେ।

ଡ୍ରାଫ୍ଟ ପ୍ଲାନରେ ୪୫ ଲକ୍ଷ ପୋଲିସ୍ ଓ ଅନ୍ୟ ଫୋର୍ସ କର୍ମଚାରୀଙ୍କୁ ସାମିଲ କରାଯାଇଛି। ସେନାର ୧୫ ଲକ୍ଷ ଲୋକ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଏହା ବାଦ୍ କମ୍ୟୁନିଟି ସର୍ଭିସ- ପବ୍ଲିକ ଟ୍ରାନ୍ସପର୍ଟ ଡ୍ରାଇଭର, କ୍ଲିନର୍ସ ଓ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ଆନୁମାନିକ ସଂଖ୍ୟା ଦେଢ଼ କୋଟି। ୫୦ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୨୬ କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏହା ବାଦ୍ ମଧୁମେହ, କିଡନି ସମସ୍ୟା, ହୃଦରୋଗୀ ତଥା ଲିଭର ସମସ୍ୟା ଥିବା ରୋଗୀଙ୍କୁ ପ୍ରାଥମିକତା ଆଧାରରେ ଟିକା ଦିଆଯିବ।

ଟିକାକରଣ ପାଇଁ ୬୦ କୋଟି ଡୋଜ ଆବଶ୍ୟକ ପଡ଼ିବ। ପ୍ଲାନରେ ଭାକସିନ ଷ୍ଟକ୍‌ ପୋଜିସନ, ଷ୍ଟୋରେଜ ସୁବିଧାରେ ତାପମାତ୍ରା ଓ ଜିୟୋ ଟ୍ୟାଗ୍ ହେଲଥ ସେଣ୍ଟରକୁ ଟ୍ରାକ କରାଯିବାର ବ୍ୟବସ୍ଥା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.