ନ୍ୟୁୟର୍କ ୨୨।୦୯: ମିଳିତ ଜାତିସଂଘ ମହାସଭା(ୟୁଏନଜିଏ)ର ୭୬ତମ ଅଧିବେଶନରେ ତୁର୍କୀକୁ ଦୃଢ ଜବାବ ଦେଲା ଭାରତ। କାଶ୍ମୀର ପ୍ରସଙ୍ଗରେ ପ୍ରଳାପ କରୁଥିବା ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗାନଙ୍କୁ ତାରି ଭାଷାରେ ଜବାବ ଦେଲେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। କାରଣ ଏର୍ଦୋଗାନ ନିଜ ଭାଷଣରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏହାର ଜବାବ ଦେବାକୁ ଯାଇ ଜୟଶଙ୍କର ସାଇପ୍ରସ ପ୍ରସଙ୍ଗ ଉଠାଇଛନ୍ତି। ତୁର୍କୀ ସାଇପ୍ରସର ବଡ ଭୂଭାଗ ଉପରେ ଅନେକ ଦଶନ୍ଧି ଧରି କବଜା କରି ରଖିଛି। ଏହି ପ୍ରସଙ୍ଗକୁ ନେଇ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି। ମାତ୍ର ତୁର୍କୀ ଏହା ମାନିବାକୁ ନାରାଜ।
ଏସ ଜୟଶଙ୍କର ସାଇପ୍ରସର ବୈଦେଶିକ ମନ୍ତ୍ରୀ ନିକୋସ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହିତ ଦ୍ଵିପାକ୍ଷିକ ବୈଠକ କରିଛନ୍ତି। ଏହି ସମୟରେ ସେ ସାଇପ୍ରସ ସମ୍ବନ୍ଧରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରାସଙ୍ଗିକ ପ୍ରସ୍ତାବର ପାଳନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ଜୟଶଙ୍କର କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ନିଜର ସାକ୍ଷାତ ବିଷୟରେ ବୁଧବାର ଟ୍ଵିଟ୍ କରିଛନ୍ତି। ସେ କହିଛନ୍ତି, ଦୁଇ ଦେଶ ଆର୍ଥିକ ସମ୍ବନ୍ଧକୁ ଆଗକୁ ବଢାଇବା ଉପରେ କାମ କରୁଛନ୍ତି। ମୁଁ ସାଇପ୍ରସ ସରକାରଙ୍କ ଆଞ୍ଚଳିକ ଦୃଷ୍ଟିକୋଣକୁ ପ୍ରଶଂସା କରିଛି। ସମସ୍ତଙ୍କୁ ସାଇପ୍ରସ ପ୍ରସଙ୍ଗରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରାସଙ୍ଗିକ ପ୍ରସ୍ତାବର ପାଳନ କରିବା ଉଚିତ୍ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।
ଏର୍ଦୋଗାନ ମଙ୍ଗଳବାର ସାମାନ୍ୟ ଚର୍ଚ୍ଚାରେ ନିଜର ସମ୍ବୋଧନରେ କହିଥିଲେ ଯେ, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ୭୪ ବର୍ଷ ଧରି ବିବାଦ ଜାରି ରହିଛି। ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ଏବଂ ମିଳିତ ଜାତିସଂଘର ପ୍ରାସଙ୍ଗିକ ପ୍ରସ୍ତାବ ଜରିଆରେ ଏହି ସମ୍ବେଦନଶୀଳ ପ୍ରସଙ୍ଗର ସମଧାନ କରିବା ଉଚିତ୍। ଏହା ପୂର୍ବରୁ ଏର୍ଦୋଗାନ ଅନେକ ଥର ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ସାରିଛନ୍ତି, ଯାହା ଉପରେ ଭାରତ ତୀବ୍ର ବିରୋଧ କରି ଆସିଛି।
କେମିତି ଆରମ୍ଭ ହୋଇଥିଲା ସାଇପ୍ରସ ବିବାଦ ?
ସାଇପ୍ରସରେ ଦୀର୍ଘ ସମୟ ଧରି ଆରମ୍ଭ ହୋଇଥିବା ସଂଘର୍ଷର ଆରମ୍ଭ ୧୯୭୪ରେ ୟୁନାନ ସରକାରଙ୍କ ସମର୍ଥନରେ ସରକାରକୁ ଗାଦିଚ୍ୟୁତ୍ କରିବା ପରଠୁ ହୋଇଥିଲା। ଏହା ପରେ ତୁର୍କୀ ୟୁନାନର ଉତ୍ତର ଭାଗରେ ଆକ୍ରମଣ କରିଥିଲା। ଭାରତ ମିଳିତ ଜାତିସଂଘର ପ୍ରସ୍ତାବ ଆଧାରରେ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଯୁକ୍ତି ବାଢି ଆସିଛି।