ଫେଲ୍ ମାରିବ ଚୀନର ଚାଲ୍: ଡ୍ରାଗନଠୁ ଭାରତୀୟ କମ୍ପାନୀକୁ ରକ୍ଷା କରିବା ପାଇଁ କଡା ହେଲା ଏଫଡିଆଇ ନିୟମ
20/04/2020 at 12:23 PM

ନୂଆଦିଲ୍ଲୀ,୨୦|୨୦: ଏସିଆର ସର୍ବବୃହତ ଅର୍ଥବ୍ୟବସ୍ଥା ଚୀନ କରୋନା ଭାଇରସ ସଙ୍କଟ ମଧ୍ୟରେ ବ୍ୟବସାୟରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି । ଏଥିପାଇଁ ବିଭିନ୍ନ ଗୋଟି ଚାଳନା ମଧ୍ୟ କରୁଛି । ଗତ କିଛିଦିନ ତଳେ ଚୀନ ପିପୁଲ୍ସ ବ୍ୟାଙ୍କ ହାଉସିଂ ଲୋନ ଦେଉଥିବା ଭାରତୀୟ କମ୍ପାନୀ ଏଚଡିଏଫସି ଲିମିଟେଡର ୧.୭୫ କୋଟି ସେୟାର କ୍ରୟ କରିଥିଲା । ଏହି ଖବର ପରେ ଏବେ କେନ୍ଦ୍ର ସରକାର ଭାରତୀୟ କମ୍ପାନୀଙ୍କୁ ଚୀନର ଚାଲ କବଳରୁ ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସରକାର ବିଦେଶ ନିବେଶକୁ ନେଇ ନିୟମରେ ପରିବର୍ତ୍ତନ କରିଛନ୍ତି । ତେବେ ଏହି ପରିବର୍ତ୍ତନ ସମୟରେ ସରକାର ପ୍ରତ୍ୟକ୍ଷ ଭାବେ ଚୀନକୁ ଇଙ୍ଗିତ କରି କିଛି କହିନାହାଁନ୍ତି ।
ନୂଆ ପରିବର୍ତ୍ତନରେ ଭାରତର ସୀମାରେ ଲାଗିଥିବା କୌଣସି ଦେଶ ବା ନାଗରିକ କିମ୍ବା କମ୍ପାନୀ ନିବେଶ ପୂର୍ବରୁ ସରକାରଙ୍କ ମଞ୍ଜୁରି ନେବା ଜରୁରୀ । ଏବେ କେବଳ ପାକିସ୍ତାନ ଓ ବାଂଲାଦେଶେ ପାଇଁ ଏହି ନିୟମ ରହିଥିଲା ।ଏବେ ଚୀନ ପାଇଁ ଏହି ନିୟମ ଲାଗୁ ହୋଇଛି । ପୂର୍ବରୁ ଚୀନ କମ୍ପାନୀ ବିନା ବାଧାରେ ନିବେଶ କରିପାରୁ ଥିଲା ।
ବିଏସଇ ତରଫରୁ ଦିଆଯାଇଥିବା ସୂଚନା ଆଧାରରେ, ନିବେଶ ପରେ ଏଚଡିଏଫସିରେ ଚୀନ କେନ୍ଦ୍ରୀୟ ବ୍ୟାଙ୍କର ୧.୦୧ ପ୍ରତିଶତ ଅଂଶ ରହିଛି । ପୂର୍ବରୁ ଏଚଡିଏଫସିରେ ଅନେକ ବିଦେଶୀ କମ୍ପାନୀର ସେୟାର ରହିଛି । ଚୀନ କେନ୍ଦ୍ରୀୟ ବ୍ୟାଙ୍କ ସେହି ସମୟରେ ସେୟାର କ୍ରୟ କରିଛି ଯେତେବେଳେ କରୋନା ଭାଇରସ ମହାମାରୀ ପାଇଁ ଏଚଡିଏଫସିର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି । ମାର୍ଚ୍ଚ ତୈମାସିକରେ ପ୍ରାୟ ୩୨.୨୯ ପ୍ରତିଶତ ହ୍ରାସ ପାଇଛି । ଜାନୁଆରୀରେ ଏହି ସେୟାରର କାରବାର ୨୫୦୦ ଟଙ୍କା ଖସି ଆସିଥିଲା । ଯାହା ଏବେ ୧୬୦୦ ଟଙ୍କାରେ ରହିଛି ।
ଏହି ମାମଲା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ । ଦେଶରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଭାରତୀୟ କର୍ପୋରେଟ୍ କମ୍ପାନୀ କ୍ଷତିରେ ଚାଲିଛି । ସରକାର କୌଣସି ବାହାର କମ୍ପାନୀକୁ ଅନୁମତି ନ ଦିଅନ୍ତୁ ବୋଲି ସେ କହିଥିଲେ ।