ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ଦର୍ଶକଙ୍କୁ ଅନୁମତି, ଷ୍ଟାଡିୟମରେ ବସି ଦେଖିପାରିବେ ମ୍ୟାଚ୍ : ହଟିଲା କଟକଣା

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ, ୦୬/୦୭:    କ୍ରିକେଟ ଜଗତ ଓ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆସନ୍ତା ମାସରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମିଳିଲା ଅନୁମତି । ଅର୍ଥାତ ଦର୍ଶକମାନେ ଷ୍ଟାଡିୟମରେ ବସି ମ୍ୟାଚ୍ ଉପଭୋଗ କରିପାରିବେ । କରୋନା ଆତଙ୍କ ହେତୁ ଅଧିକାଂଶ ମ୍ୟାଚ୍ ଖାଲି ଷ୍ଟାଡିୟମ କିମ୍ବା ସୀମିତ ଦର୍ଶକରେ ଖେଳାଯାଉଥିଲା । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାରେ ସୀମିତ ଦର୍ଶକଙ୍କୁ ଅନୁମତି ମିଳିଥିଲା । କେବଳ ୪ ହଜାର ଦର୍ଶକ ହିଁ ମ୍ୟାଚ୍ ଦେଖିଥିଲେ ।

ତେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚରେ ଦର୍ଶକଙ୍କ ଭୀଡ ଦେଖିବାକୁ ମିଳିବ । ଏହି ଖବର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଟକଣା ହଟିବା ଘୋଷଣାର କିଛି ସମୟ ପରେ ସାମ୍ନାକୁ ଆସିଛି । ଏବେ ଭାରତୀୟ ଖେଳାଳି ୨୦ ଦିନିଆ ବିଶ୍ରାମରେ ରହିଛନ୍ତି । ଟେଷ୍ଟ ତାମ୍ପିଅନସିପ୍ ପରେ ଦଳକୁ ୨୦ ଦିନ ପାଇଁ ବିଶ୍ରାମ ଦିଆଯାଇଛି ।

ସମସ୍ତ ଖେଳାଳି ଜୁଲାଇ ୧୪ରେ ଲଣ୍ଡନରେ ଏକାଠି ହେବେ । ଏହାପରେ ନଟିଂହାମ ଗସ୍ତ କରିବେ । ଏଠାରେ ହିଁ ପ୍ରଥମ ଟେଷ୍ଟ ଖେଳାଯିବ । ଏବେ ଖେଳାଳି ନିଜ ପରିବାର ସହ ସମୟ ବିତାଇବା ସହ ୟୁରୋ କପର ମଜା ନେଉଛନ୍ତି ।

ସୂଚନାଯୋଗ୍ୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ୮ ଓ୍ୱିକେଟରେ ପରାସ୍ତ ହୋଇଥିଲା । ଏବେ ବିରାଟ କୋହଲିଙ୍କ ଆଗରେ ଇଂଲଣ୍ଡ ହେଉଛି ନୂଆ ଚ୍ୟାଲେଞ୍ଜ୍ । ବିଶ୍ୱ ଟେଷ୍ଟ କ୍ରିକେଟ ଫାଇନାଲରେ ଭାରତ ପ୍ରଥମ ପାଳିରେ ୨୧୭ ରନ୍ କରିଥିଲେ । ଜବାବରେ ନ୍ୟୁଜିଲାଣ଼୍ ୨୪୯ କରିଥିଲା । ଦ୍ୱିତୀୟ ଇନିଂସରେ ୧୭୦ ରନ ହିଁ କରିପାରିଥିଲା ଭାରତ ଓ ନ୍ୟୁଜିଲାଣ୍ଡକୁ ୧୩୯ ରନର ଲକ୍ଷ୍ୟ ଦେଇଥିଲା । ଯାହାକୁ କିଓ୍ୱି ଟିମ୍ ମାତ୍ର ୨ ଓ୍ୱିକେଟ ହରାଇ ହାସଲ କରିନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.