ମାଞ୍ଚେଷ୍ଟର ଟେଷ୍ଟ୍ ରବ୍ଦ, ୨-୧ରେ ସିରିଜ ଜିତିଲା ଭାରତ

Published By : Prameya-News7 Bureau | September 10, 2021 IST

ମାଞ୍ଚେଷ୍ଟର, ୧୦।୦୯ :   ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ୍ ରବ୍ଦ ହୋଇଛି । ଫଳରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଛି । କରୋନା ସଙ୍କଟ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଦଳର ସହକାରୀ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ମ୍ୟାଚ୍‌ ଆୟୋଜନ ନେଇ ଆଶଙ୍କା ଦେଖା ଦେଇଥିଲା । ଭାରତୀୟ ଦଳର ଗତକାଲି ଅଭ୍ୟାସ ଶିବିର ବାତିଲ କରାଯାଇଥିଲା । ଦଳର କୌଣସି ସଦସ୍ୟଙ୍କୁ ହୋଟେଲ କକ୍ଷରୁ ବାହାରିବାକୁ ଅନୁମତି ଦିଆଯାଇନଥିଲା । ଦଳର ବାକି ସବୁ ସଦସ୍ୟଙ୍କ ଆରଟି-ପିସିଆର ରିପୋର୍ଟ ଉପରେ ମ୍ୟାଚ୍‌ ଆୟୋଜନ ନିର୍ଭର କରୁଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ ହୋଇ ଲଣ୍ଡନରେ ଆଇସୋଲେସନରେ ରହିଛନ୍ତି ।ବୁଧବାର ସକାଳେ ଭାରତୀୟ ଦଳ ଅଭ୍ୟାସ କରିଥିଲା । ହୋଟେଲକୁ ଫେରିବା ପରେ ପରମାର ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ବାହାରିବା ପରେ ଭାରତୀୟ ଦଳ ଉପରେ କଟକଣା ଜାରି କରାଯାଇଥିଲା । ଗୁରୁବାର ସକାଳେ ଦଳର ପ୍ରତ୍ୟେକ ସଦସ୍ୟଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ନିତିନ ପଟେଲ ଭାରତୀୟ ଦଳର ମୁଖ୍ୟ ଫିଜିଓ ନିଯୁକ୍ତ ଅଛନ୍ତି । ପରମାର ତାଙ୍କୁ ସହାୟତା କରନ୍ତି ।

ଓଭାଲ୍‌ ଟେଷ୍ଟ ସମୟରେ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନିତିନ, ଅରୁଣ ଓ ଶ୍ରୀଧରଙ୍କୁ ଆଇସୋଲେସନରେ ରଖାଯାଇଥିଲା । ପରେ ଅରୁଣ ଓ ଶ୍ରୀଧରଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ନିତିନଙ୍କ ରିପୋର୍ଟ ନେଗେଟିଭ ରହିଥିଲା । ସେ ମାଞ୍ଚେଷ୍ଟର ଆସିଥିଲେ ହେଁ ଏପର୍ଯ୍ୟନ୍ତ ଦଳ ସହ ଯୋଗ ନଦେଇ ହୋଟେଲ କକ୍ଷରେ ସଙ୍ଗରୋଧରେ ରହିଛନ୍ତି । ୫ଜଣ କୋଚିଂ ସଦସ୍ୟ କରୋନା ସଂକ୍ରମିତ ହେବା ପରେ କେବଳ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଦଳର ଦାୟିତ୍ୱ ସମ୍ଭାଳିଥିଲେ ।

ଦୀର୍ଘ ୮୫ ବର୍ଷ ହେଲା ଏହି ଗ୍ରାଉଣ୍ଡ୍‌ରେ ଭାରତୀୟ ଦଳ ବିଜୟକୁ ଅପେକ୍ଷା କରିଥିଲା । ଶେଷ ଥର ପାଇଁ ଉଭୟ ଦଳ ୨୦୧୪ରେ ଏଠାରେ ଟେଷ୍ଟ ଖେଳିଥିଲେ । ଇଂଲଣ୍ଡ ଇନିଂସ ବିଜୟ ହାସଲ କରିଥିଲା । ତେବେ ମ୍ୟାଚ୍ ବାତିଲ ହେବା ପରେ ଭାରତ ୨-୧ରେ ଟେଷ୍ଟ୍ ସିରିଜରେ ବିଜୟୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.