୪୧ବର୍ଷ ପରେ ପୁଣି ଥରେ ଶୁନରୁ ଆରମ୍ଭ ହେବ ଅର୍ଥବ୍ୟବସ୍ଥା ! ଜାରି ବର୍ଷର GDP ଅଭିବୃଦ୍ଧି -୭.୭ ରୁ ବି ରହିବ କମ୍
7/01/2021 at 10:41 PM

ନୂଆଦିଲ୍ଲୀ ୭।୧: ଆଗାମୀ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ପୁଣି ଥରେ ଶୁନ୍ରୁ ପ୍ରାରମ୍ଭ ହେବ। ଜାରି ଆର୍ଥିକବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ବିଯୁକ୍ତ ୭.୭ରୁ ବି ତଳକୁ ଚାଲିଯିବ ବୋଲି ଆକଳନ କରାଗଲାଣି। ପୂର୍ବରୁ ୧୯୭୯-୮୦ରେ ଜିଡିପି ଅଭିବୃଦ୍ଧି ବିଯୁକ୍ତ ୫.୨ ପ୍ରତିଶତ ଥିଲା। ଏଣୁ ୪୧ ବର୍ଷ ପରେ ଦେଶ ପୁଣି ଥରେ ଅର୍ଥବ୍ୟବସ୍ଥାକୁ ନୂଆକରି ଆରମ୍ଭ କରିବାକୁ ଯାଉଥିବା ଆର୍ଥିକ ବିଶ୍ଲେଷକ ଆକଳନ କରିଛନ୍ତି।
କରୋନା ଭାଇରସ ମହାମାରୀ ଓ ଏଥିଲାଗି ଦେଶରେ ଲାଗୁ କରାଯାଇଥିବା ଲକଡାଉନ୍ ଅର୍ଥବ୍ୟବସ୍ଥାର ଏପରି କାରଣ ପାଇଁ ଦାୟୀ। ସରକାର ୨୫ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଦେଶକୁ ଲକଡାଉନ୍ରେ ରଖିଥିଲେ। ପରେ ଧିରେ ଧିରେ ଦେଶ ସ୍ୱଭାବିକ ହୋଇଥିଲେ ହେଁ ଅର୍ଥ ବ୍ୟବସ୍ଥା ରାସ୍ତାକୁ ଉଠିପାରି ନାହିଁ। ଗତବର୍ଷ ଦେଶର ଆର୍ଥିକ ବିକାଶ ହାର ୪.୨ ପ୍ରତିଶତ ଥିଲା । ହେଲେ ପ୍ରଥମ ତ୍ରୈମାସିକରେ ବିଯୁକ୍ତ ୨୩.୯ ପ୍ରତିଶତକୁ ଖସିଯାଇଥିଲା।
ତେବେ ଦ୍ୱିତୀୟ ତ୍ରୈମାସିକ ବେଳକୁ ପରିସ୍ଥିତିରେ ସୁଧାର ହୋଇଥିଲା। ହେଲେ ସମ୍ପୂର୍ଣ୍ଣ ସୁଧାର ହୋଇପାରିନଥିଲା। ଏଣୁ ଅଭିବୃଦ୍ଧି ହାର ବିଯୁକ୍ତ ୭.୫ ପ୍ରତିଶତରେ ଅଟକି ଯାଇଥିଲା। ଆଗାମୀ ବଜେଟ୍ ପ୍ରସ୍ତୁତି ଲାଗି ଏହି ତଥ୍ୟ ଗୁରୁତ୍ୱ ରଖେ। ଯାହାକୁ ନେଇ ନୀତି ନିର୍ଦ୍ଧାରକ ଆଗାମୀ ବଜେଟ ପ୍ରସ୍ତୁତ କରିବେ। ୨୦୨୧-୨୨ ବଜେଟ୍ ପୂର୍ବରୁ ତଥ୍ୟର ଗୁରୁତ୍ୱ ଢେର ଅଧିକ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଆଗାମୀ ଆର୍ଥିକବର୍ଷ ଲାଗି ବଜେଟ୍ ପ୍ରସ୍ତୁତି ନିମନ୍ତେ ବେଶ ସହାୟକ ହେବ। କରୋନା ଯୋଗୁ ହୋଇଥିବା କ୍ଷୟକ୍ଷତିର ଏହା ପ୍ରାରମ୍ଭିକ ସରକାରୀ ତଥ୍ୟ। ଦ୍ୱିତୀୟ ଆଡଭାନ୍ସ ଆକଳନ ଫେବୃଆରୀରେ ମିଳିବ, ତେବେ ସରକାର ଜିଡିପି ଅଭିବୃଦ୍ଧିର ପ୍ରୋଭିଜିନାଲ ଇଷ୍ଟିମେଟ୍ ମେ ମାସରେ ଜାରି କରିବେ।