ନୂଆଦିଲ୍ଲୀ ୧୫।୧୨: ଗତ ୨ ଦଶନ୍ଧୀରେ ଦେଶର ଖାଦ୍ୟ ତୈଳ ବଜାରର ପରିଦୃଶ୍ୟରେ ବିଶାଳ ପରିବର୍ତ୍ତନ ଆସିଛି। ଖାଦ୍ୟ ତୈଳ ଲାଗି ବିଦେଶ ଉପରେ ପ୍ରାୟ ନିର୍ଭର ନଥିବା ଭାରତର ଆମଦାନୀ ଏବେ ୭୦ ପ୍ରତିଶତକୁ ପହଞ୍ଚିଛି। ୨୦୨୧-୨୨ ସାଧାରଣ ବଜେଟ ପୂର୍ବରୁ ଖାଦ୍ୟ ତୈଳ ସଙ୍ଗଠନଙ୍କ ଏକ ଉଦ୍ୟୋଗ ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ପ୍ରଦାନ କରିଥିବା ରିପୋର୍ଟରେ ଏହା ଦର୍ଶାଯାଇଛି।
ସଲଭେଣ୍ଟ ଏକ୍ସଟ୍ରେକ୍ଟର୍ସ ଆସୋସିଏସନ ଅଫ ଇଣ୍ଡିଆ (ଏସଇଏଆଇ)ଙ୍କ ଅନୁସାରେ ଗତ ଦୁଇ ଦଶକରେ ଦେଶର ଖାଦ୍ୟତୈଳ ଆମଦାନୀରେ ଯଥେଷ୍ଠ ବୃଦ୍ଧି ହୋଇଛି। ଏଣୁ ଘରୋଇ ଉତ୍ପାଦନ ବାର୍ଷିକ ୨.୮ରୁ ୩.୦କୋଟି ଟନରେ ସ୍ଥିର ଥିବା ବେଳେ ଉତ୍ପାଦକତା ୯୦୦ରୁ ୧୦୦୦ କିଲୋ ପ୍ରତି ହେକ୍ଟରକୁ ଖସିଛି। ଏବେ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ ଲାଗି ଉତ୍ପାଦକତା ପ୍ରତି ହେକ୍ଟର ୧ହଜାର ୫୦୦କୁ ପହଞ୍ଚାଇବା ଜରୁରି ବୋଲି ସଂଘ କହିଛି। ଏଥିଲାଗି ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ଏସଇଏଆଇ ଦାବି କରିଛନ୍ତି।
ଏହା ଛଡା ନ୍ୟାସନାଲ ମିସନ ଅନ ଇଡିଏବଲ ଅଏଲ(ଏନଏମଇଓ) ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ କୁହାଯାଇଛି। ସୋରିଷ, ବାଦାମ, ସୋୟାବିନ ଓ ପାମ ଅଏଲର ଘରୋଇ ଉତ୍ପାଦନ ପ୍ରୋତ୍ସାହନ ଲାଗି ବାର୍ଷିକ ୪ରୁ ୫ ହଜାର କୋଟି ଟଙ୍କା ଆବଣ୍ଟନର ଆବଶ୍ୟକତା ଥିବା ସଂଘ ଦାବି କରିଛି। ଏହା ଛଡା ଆମଦାନୀ ତୈଳ ଉପରେ ଅଏଲସିଡ୍ ଡେଭଲପମେଣ୍ଟ ସେସ୍ ଆଦାୟ ଲାଗି ମଧ୍ୟ ସଂଘ ସରକାରଙ୍କୁ ପରାମର୍ଶ ଦେଇଛି।
ଏହାଛଡା ଦେଶର ଖାଦ୍ୟ ତୈଳ ଆବଶ୍ୟକତା ପୂରଣ ଲାଗି ରାଇସ୍ ବ୍ରାନ ଅଏଲ, କଟନସିଡ୍ ଅଏଲ ଓ ମକାରୁ ବାହାରୁଥିବା ତେଲ ଓ ଏହପିର ଅନ୍ୟ ଅଣପାରମ୍ପରିକ ଖାଦ୍ୟ ତୈଳର ପୂର୍ଣ୍ଣ କ୍ଷମତା ଉତ୍ପାଦନ ଲାଗି ମଧ୍ୟ ସଂଘ ଗୁରୁତ୍ୱ ଦେଇଛି। ଏପରି କରାଗଲେ ଆଗାମୀ ୫ ବର୍ଷରେ ଭାରତ ଅତିରିକ୍ତ ୧୦ଲକ୍ଷ ଟନ ଖାଦ୍ୟ ତୈଳ ଉତ୍ପାଦନ କ୍ଷମତା ହାସଲ କରିପାରିବ ବୋଲି ସଂଘ ଆକଳନ କରିଛି। ପ୍ରାୟ ୨୦ ବର୍ଷ ପୂର୍ବେ ଭାରତ ବିଦେଶରୁ ୩ ପ୍ରତିଶତ ଖାଦ୍ୟ ତୈଳ ଆମଦାନୀ କରୁଥିଲା। ହେଲେ ଏହି ସମୟ ମଧ୍ୟରେ ଆମଦାନୀ ୭୦ ପ୍ରତିଶତରେ ପହଞ୍ଚିଥିବା ବେଳେ ଦେଶରୁ ବାକି ୩୦ ପ୍ରତିଶତ ପାରମ୍ପରିକ ଓ ଅଣପାରମ୍ପରିକ ତୈଳରୁ ଖାଦ୍ୟ ଆବଶ୍ୟକତା ପୂରଣ ହେଉଛି।