ଭାରତ ସରକାର ମନା କଲେ ! ନେପାଳରେ ରଦ୍ଦି ହେଉଛି କୋଟି କୋଟି ଟଙ୍କାର ପୁରୁଣା ୫ଶହ ଓ ୧ ହଜାର ଟଙ୍କା ନୋଟ୍
27/12/2020 at 5:24 PM

ନୂଆଦିଲ୍ଲୀ ୨୭।୧୨: ନେପାଳର ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ମୁଦ୍ରା ରଦ୍ଦିରେ ପଡିଛି। ଏହି ସବୁ ଭାରତ ସରକାରଙ୍କ ନୋଟ ବନ୍ଦୀ ସମୟରେ ରଦ୍ଦ ହୋଇଥିବା ଭାରତୀୟ ମୁଦ୍ରା। ବ୍ୟାଙ୍କରେ ଯେତିକି ଟଙ୍କା ପଡି ରହିଛି ତା ଠରୁ ଅଧିକ ୫ଶହ ଓ ହଜାରେ ଟଙ୍କିଆ ନୋଟ ନେପାଳି ଲୋକଙ୍କ ପାଖରେ ଅଛି। ଏ ସମ୍ପର୍କରେ ଭାରତ ସରକାରଙ୍କ ନିକଟରେ ପୂର୍ଣ୍ଣ ସୂଚନା ଅଛି। ହେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସେସବୁ ଟଙ୍କା ଫେରସ୍ତ ଆଣିବା ଲାହି ପଦକ୍ଷେପ ନେଉ ନାହାନ୍ତି।

ନେପାଳ ଦୂତାବାସ ମୁଖପାତ୍ର ହରିପ୍ରସାଦ ଓଡାରୀ ପ୍ରଥମ ଥର ଏ ନେଇ ଅଭିଯୋଗ କରିଛନ୍ତି। ନେପାଳ ନାଗରିକ ଓ ବ୍ୟାଙ୍କମାନଙ୍କ ନିକଟରେ ମହଜୁଦ ଏହି ସବୁ ୫ଶହ ଓ ୧ ହଜାର ଟଙ୍କିଆ ମୁଦ୍ରା ୮ ନଭେମ୍ବର ୨୦୧୬ ପୂର୍ବର। ଭାରତ ସରକାର ନୋଟ ବନ୍ଦୀ ଘୋଷଣା କରିବାର ଦୀର୍ଘ ସମୟ ପରେ ମଧ୍ୟ ଏହି ଟଙ୍କା ଫେରସ୍ତ ନେବା ଲାଗି କୌଣସି ପଦକ୍ଷେପ ନେଉ ନଥିବା କହିଛନ୍ତି।

ଟଙ୍କା ଫେରସ୍ତ ଲାଗି ନେପାଳ ଓ ଭାରତୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଛି। ହେଲେ ଏପର୍ଯ୍ୟନ୍ତ ନୋଟ ପରିବର୍ତ୍ତନ ନେଇ ସହମତି ହୋଇପାରିନାହିଁ। ଉଭୟ ଦେଶଙ୍କ ମୁକ୍ତ ସୀମା ବ୍ୟାପାର ଆଢୁଆଳରେ ଭାରତରେ ଲୋକେ ନୋଟବନ୍ଦୀ କାଳରେ ଲୁଚାଇ ରଖିଥିବା ଟଙ୍କା ହୁଏତ ନେପାଳ ରାସ୍ତାରେ ଭାରତକୁ ପୁଣି ଚଳାଇ ନେଇ ପାରନ୍ତି ବୋଲି ସରକାର ସନ୍ଦେହ କରୁଛନ୍ତି। ତେବେ ଏପରି ଟଙ୍କାକୁ ରୋକିବାକୁ ନେପାଳ ସରକାରଙ୍କ ନିକଟରେ ସେପରି କୌଣସି ବ୍ୟବସ୍ଥା ନାହିଁ।