ହୁ ହୁ ହୋଇ ବଢି ଚାଲିଛି କରୋନା ମାମଲା : ଦେଶରେ ଅଢେଇ ଲକ୍ଷ ଟପିଲା ସଂକ୍ରମଣ, ୨୪ ଘଣ୍ଟାରେ ୨୦୬ ମୃତ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮/୦୬ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ହୁ ହୁ ହୋଇ ବଢିଚାଲିଛି | ପ୍ରତିଦିନ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗି ଚାଲିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୯ ହଜାର ୯୮୩ ନୂଆ ମାମଲା ସାମ୍ନାକୁ ଆସିଛି | ୨୪ ଘଣ୍ଟାରେ ୨୦୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି | ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୫୬ ହଜାର ୬୧୧ରେ ପହଞ୍ଚିଛି | ଶନିବାର ଦିନ ୯ ହଜାର ୯୭୧ ମାମଲା ସାମ୍ନାକୁ ଆସିଥିଲା ଏବଂ ୨୮୭ ଜଣଙ୍କ ମୃତ୍ୟୁ ହୋଇଥିଲା |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୧ ଲକ୍ଷ ୨୫ ହଜାର ୩୮୨ ଆକ୍ଟିଭ ମାମଲା ରହିଛି | କରୋନା ମହାମାରୀରେ ଏବେ ସୁଦ୍ଧା ୭ ହଜାର ୧୩୫ ରୋଗୀଙ୍କ ମୃତ୍ୟୁ ହୋଇଛି | ଅପରପକ୍ଷରେ ୧ ଲକ୍ଷ ୨୪ ହଜାର ୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | କରୋନା ଭାଇରସ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ସର୍ବାଧିକ ୮୫ ହଜାର ୯୭୫ ଜଣ ସଂକ୍ରମିତ ହୋଇଛନ୍ତି | ମହାରାଷ୍ଟ୍ରରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି | ମହାମାରୀରେ ଏବେ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୩ ହଜାର ୬୦ ଜଣଙ୍କର ମୃତ୍ୟୁ ହୋଇସାରିଛି | ଗୁଜରାଟରେ, ୧୨୪୯, ମଧ୍ୟପ୍ରଦେଶରେ ୪୧୨, ଦିଲ୍ଲୀରେ ୭୬୧, ପଶ୍ଚିମବଙ୍ଗରେ ୩୯୬, ଉତ୍ତର ପ୍ରଦେଶରେ ୨୭୫, ରାଜସ୍ତାନରେ ୨୪୦, ତାମିଲନାଡୁରେ ୨୬୯, ତେଲେଙ୍ଗାନାରେ ୧୨୩, ଆନ୍ଧ୍ରପ୍ରଦେଶରେ ୭୫, କର୍ଣ୍ଣାଟକରେ ୬୧, ପଞ୍ଜାବରେ ୫୧, ଜାମ୍ମୁ କାଶ୍ମୀରରେ ୪୧ ଜଣ ପ୍ରାଣ ହରାଇଛନ୍ତି |

ଜାମ୍ମୁ କାଶ୍ମୀରରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି | ୨୪ ଘଣ୍ଟାରେ ୬୨୦ ନୂଆ ମାମଲା ସାମ୍ନାକୁ ଆସିଛି | ଏହା ସହ ଜାମ୍ମୁରେ କରୋନା ସଂକ୍ରମଣ ସଂଖ୍ୟା ୪ ହଜାର ୮୭ରେ ପହଞ୍ଚିଛି | ଏଥିରୁ ୨ ହଜାର ୮୩୦ ଆକ୍ଟିଭ ମାମଲା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.