ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ପାର: ମୃତ୍ୟୁ ମାମଲାରେ ତୃତୀୟ ସ୍ଥାନରେ ଭାରତ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ ୦୪/୦୫ : ସୋମବାର ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ପାର ହୋଇଛି। ଭାରତ ଦ୍ୱିତୀୟ ଦେଶ ଯେଉଁଠାରେ ୨ କୋଟିରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ମାତ୍ର ୧୩୭ ଦିନରେ ସଂକ୍ରମଣ ମାମଲା ଗୋଟିଏ କୋଟିରୁ ୨ କୋଟି ପାର କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୯ ହଜାର ୨୩୦ ଜଣ ସଂକ୍ରମିତ ହୋଇଛନ୍ତି। ଗୋଟିଏ ଦିନରେ ୩୪୨୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସୋମବାର ଦିନ ୨.୯୯ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୨ ଲକ୍ଷ ୭୫ ହଜାର ୫୪୩ରେ ପହଞ୍ଚିଛି। ଯାହା ମୋଟ୍ ସଂକ୍ରମଣ ମାମଲାର ୧୭.୧୩ ପ୍ରତିଶତ। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୨ ହଜାର ୬୬୬ରେ ପହଞ୍ଚିଛି। ଏବେ ସୁଦ୍ଧା ୧.୬୨ କୋଟି ଲୋକ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ୩୪ ଲକ୍ଷ ୪୪ ହଜାର ୫୪୮ ଆକ୍ଟିଭ ମାମଲା ରହିଛି। 

ସବୁଠାରୁ ଅଧିକ ମୃତ୍ୟୁ ହୋଇଥିବା ଦେଶମାନଙ୍କ ମଧ୍ୟରେ ଭାରତ ମେକ୍ସିକୋକୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିଛି। ମେକ୍ସିକୋରେ ଏବେ ସୁଦ୍ଧା ୨ ଲକ୍ଷ ୧୮ ହଜାର ୯୪୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ଓ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକାରେ ୫ ଲକ୍ଷ ୯୨ ହଜାର ଓ ବ୍ରାଜିଲରେ ୪.୦୭ ଲକ୍ଷ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଏଣ୍ଟ ସେକ୍ରେଟାରୀ ଲବ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ୧୨ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆକ୍ଟିଭ ମାମଲା ରହିଛି। ୭ ରାଜ୍ୟରେ ୫୦ ହଜାରରୁ ଅଧିକ, ୧୭ ରାଜ୍ୟରେ ୫୦ ହଜାରରୁ କମ ଆକ୍ଟିଭ ମାମଲା ରହିଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଆଦି ରାଜ୍ୟ ଅଧିକ ପ୍ରଭାବିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.