ସ୍ମାର୍ଟଫୋନ ସିପ୍‌ମେଣ୍ଟରେ ଭାରତର ନୂଆ ରେକର୍ଡ, ଲଦ୍ଦାଖ ଗତିରୋଧରେ ପ୍ରଭାବିତ ହୋଇନି ଦେଶରେ ଚୀନ୍‌ ଫୋନ୍ ନିର୍ମାତାଙ୍କ ବଜାର

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩।୧୦: ଭାରତ ଜୁଲାଇ-ସେପ୍ଟେମ୍ବର ତୃତୀୟ କ୍ୱାର୍ଟରରେ ୫୦ ମିଲିୟନ ୟୁନିଟ୍‌ ସ୍ମାର୍ଟଫୋନ ସିପମେଣ୍ଟ କରିଛି। କାନାଲିସ୍ ରିପୋର୍ଟରୁ ମିଳିଥିବା ତଥ୍ୟ  ଅନୁସାରେ  କୌଣସି ସିଙ୍ଗଲ କ୍ୱାର୍ଟରରେ ସ୍ମାର୍ଟ ଫୋନ ସିପମେଣ୍ଟର ଏହା ଅଲଟାଇମ ରେକର୍ଡ। ଦେଶର ସ୍ମାର୍ଟ ଫୋନ ବଜାରରୁ କୋଭିଡ-୧୯ର ପ୍ରଭାବ ହଟିଥିବା ଏହା ପ୍ରମାଣିତ କରୁଥିବା ବେଳେ ଭାରତୀୟ ବଜାରରୁ ଚୀନ୍‌ ସ୍ମାର୍ଟଫୋନ ନିର୍ମାତାଙ୍କ ପ୍ରଭାବ ହ୍ରାସ ହୋଇନଥିବା ସିପମେଣ୍ଟ ଡିଟେଲସ୍‌ରୁ ଜଣାପଡିଛି।

 ସ୍ମାର୍ଟଫୋନ ମାର୍କେଟ ଲାଗି ବର୍ଷର ତୃତୀୟ ତ୍ରୈମାସିକ ଗୁରୁତ୍ୱପୂର୍ଣ୍ଣ। ବର୍ଷର ଅଧିକାଂଶ ଉତ୍ସବ ଏହି ସମୟରେ ପଡୁଥିବା ବେଳେ ଲୋକେ ନିଜନିଜର ସ୍ମାର୍ଟଫୋନ ଆବଶ୍ୟକତା ମଧ୍ୟ ପୂରଣ କରିଥାନ୍ତି। ତେବେ ସ୍ମାର୍ଟଫୋନ ମାର୍କେଟର ଗତ ୪ ବର୍ଷର ତଥ୍ୟ ସମୀକ୍ଷା କଲେ ଚଳିତବର୍ଷ ସିପମେଣ୍ଟ ସବୁ ବର୍ଷର ରେକର୍ଡ ଭାଙ୍ଗିଥିବା ସ୍ପଷ୍ଟ ହୋଇଯାଉଛି। ୨୦୧୭ ଓ ୨୦୧୮ ତୃତୀୟ ତ୍ରୈମାସିକରେ ଅନୁନ୍ୟ ୪୦ ମିଲିୟନ ୟୁନିଟ୍‌ ସିପମେଣ୍ଟ ହୋଇଥିବାର ତଥ୍ୟ ରହିଛି। ଯାହା ୨୦୧୯ରେ ୪୬ ମିଲିୟନ ୟୁନିଟ୍‌କୁ ପହଞ୍ଚିଥିବା ବେଳେ ୨୦୨୦ ତୃତୀୟ ତ୍ରୈମାସିକରେ ୫୦ ମିଲିୟନ ୟୁନିଟ୍‌କୁ ପହଞ୍ଚିଛି।

ଭାରତରେ ବଢୁଛି ଚୀନ୍‌ ସ୍ମାର୍ଟ ଫୋନ ନିର୍ମାତାଙ୍କ ବଜାର
ଗତ ଜୁନମାସରେ ଚୀନ୍-ଭାରତ ସୀମା ପୂର୍ବ ଲଦ୍ଦାଖରେ ଉତ୍ତେଜନା ଦେଖାଦେଇଥିଲା। ଚୀନ୍ ସେନାଙ୍କ ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଦେଶରେ  ଉତ୍ତେଜନା ଦେଖାଦେଇଥିବା ବେଳେ ଲୋକେ ଚୀନ୍‌ ସାମଗ୍ରୀ ବହିଷ୍କାର କରିଥିଲେ। ଏଥିରେ ସରକାର ଆତ୍ମ ନିର୍ଭର ଭାରତ ଯୋଜନାକୁ ପ୍ରୋତ୍ସାହନ ଲାଗି ଚୀନ୍‌ ସାମଗ୍ରୀ ଉପରେ କଟକଣା ଲଗାଇଥିଲେ। ହେଲେବି ସ୍ମାର୍ଟ ଫୋନ ବଜାରରୁ ଚୀନ୍‌ ନିର୍ମାତାଙ୍କ ଦବଦବା ସମାପ୍ତ ହୋଇନଥିବା ତୃତୀୟ କ୍ୱାର୍ଟର ରିପୋର୍ଟରୁ ଜଣାପଡିଛି।

୯ ପ୍ରତିଶତରେ ପହଞ୍ଚିଛି ଗ୍ରୋଥ ରେଟ୍
 ୨୦୨୦ ତୃତୀୟ ତ୍ରୈମାସିକ ସ୍ମାର୍ଟଫୋନ ସିପମେଣ୍ଟରୁ ଚୀନ୍‌ ସ୍ମାର୍ଟଫୋନ ନିର୍ମାତା ସାଓମୀ,ଭିଭୋ, ରିୟଲମି ଏବଂ ଓପ୍ପୋ ସ୍ମାର୍ଟଫୋନର ଆମଦାନୀ ମୋଟ ସିପ୍‌ମେଣ୍ଟର ୫୦ ପ୍ରତିଶତ ଥିବା ଜଣାପଡିଛି। ଏଥିରେ ସାଓମୀ ୧୩.୧ ମିଲିୟନ ୟୁନିଟ୍‌ ସ୍ମାର୍ଟଫୋନ ଭାରତକୁ ପଠାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭିଭୋ।  ଭାରତୀୟ ବଜାର ଲାଗି ଭିଭୋ ୮.୮ ମିଲିୟନ ୟୁନିଟ୍‌ ସ୍ମାର୍ଟଫୋନ ପଠାଇଛି। ସେହିପରି ରିୟଲମି ୮.୭, ଓପ୍ପୋ ୬.୧ ମିଲିୟନ ୟୁନିଟ୍‌ ସ୍ମାର୍ଟଫୋନ ସିପମେଣ୍ଟ କରିଛନ୍ତି। ଫଳରେ ଭାରତ ବଜାରରେ ଗତବର୍ଷ ତୁଳନାରେ ଚୀନ୍‌ ସ୍ମାର୍ଟଫୋନ ନିର୍ମାତାଙ୍କ ବାର୍ଷିକ ବ୍ୟବସାୟୀକ ଅଭିବୃଦ୍ଧି ୯ ପ୍ରତିଶତରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.