ଆଶ୍ଵସ୍ତିକର ଖବର: ଦେଶରେ କରୋନାକୁ ମାତ୍ ଦେଲେଣି ଦୁଇ ତୃତୀୟାଂଶ ରୋଗୀ, କମୁଛି ମୃତ୍ୟୁ ହାର

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ ୩୧।୦୭: କୋଭିଡ୍-୧୯ର ରେକର୍ଡ ସଂଖ୍ୟକ କେସ୍  ମଧ୍ୟରେ ଆସିଛି ଏକ ଭଲ ଖବର। ଏ ପର୍ଯ୍ୟନ୍ତ ଦେଶରେ ଦୁଇ ତୃତୀୟାଂଶ କରୋନା ରୋଗୀ ସୁସ୍ଥ ହୋଇ  ଘରକୁ ଫେରି ସାରିଛନ୍ତି। ଗ୍ରୁପ ଅଫ ମିନିଷ୍ଟର୍ସ(ଜିଓଏମ)ର ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ ୨୪ ଘଣ୍ଟାରେ କୋଭିଡ୍-୧୯ରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ  ଟପିଛି। ଅଦ୍ୟାବଧି ୧୦, ୫୭, ୮୦୫ ଲୋକ କରୋନାରୁ ମୁକ୍ତ ହୋଇ ସାରିଛନ୍ତି। ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୧୬, ୩୮, ୮୦୫ ରହିଛି। ହର୍ଷବର୍ଦ୍ଧନଙ୍କ ଅନୁଯାୟୀ, ଭାରତର ସୁସ୍ଥ ହାର ଉନ୍ନତ ଘଟି ୬୪.୫୪ ପ୍ରତିଶତରେ ପହଞ୍ଚିଛି। ମୃତ୍ୟହାର ମଧ୍ୟ ହ୍ରାସ ଘଟିଛି। କରୋନା ଜନିତ ମୃତ୍ୟୁହାର କମି ୨.୧୮ ପ୍ରତିଶତ ହୋଇଛି।

ହର୍ଷବର୍ଦ୍ଧନ କହିଛନ୍ତି ଭାରତରେ  କରୋନା ମାମଲା ୨୧ ଦିନରେ ଦ୍ଵିଗୁଣିତ ହେଉଛି। ଟେଷ୍ଟିଂ ଭିତ୍ତିଭୂମିରେ ସୁଧାର ଉପରେ ଉଲ୍ଲେଖ କରି ସେ କହିଛନ୍ତି ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୬.୪୨ ଲକ୍ଷରୁ ଅଧିକ ନମୂନା ପରୀକ୍ଷଣ ହୋଇଛି। ଗତ ଏକ ମାସରେ ସାରା ଦେଶରେ ପ୍ରାୟ ଏକ କୋଟି ଟେଷ୍ଟ ହୋଇଥିବା ସ୍ଵାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି। ଦେଶରେ ୦.୨୭ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଥିଲେ। ୧.୫୮ ପ୍ରତିଶତ ଆଇସିୟୁରେ ଭର୍ତ୍ତି ଥିଲେ। ଏହା ବ୍ୟତୀତ ୨.୨୮ ପ୍ରତିଶତ ରୋଗୀଙ୍କୁ କୌଣସି ପ୍ରକାରେ ଜୀବନ ରକ୍ଷକ ପ୍ରଣାଳୀର ଆବଶ୍ୟକତା ଥିଲା।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ନିର୍ମାଣ ଭବନରେ ଅନୁଷ୍ଠିତ ହୋଇଛି। ଏଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ କୋଭିଡ୍-୧୯ରେ ସର୍ବାଧିକ ୫୫,୦୭୮ କେସ୍ ସାମ୍ନାକୁ ଆସିଛି। ଏହି ସମୟରେ ୭୭୯ ଜଣଙ୍କ ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା ୩୫, ୭୪୭କୁ ବୃଦ୍ଧି ଘଟିଛି। କ୍ରମାଗତ ଦ୍ଵିତୀୟ ଦିନ ୫୦ ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.