ୟୁଏନରେ ପହଁଚିଲା ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ମାମଲା, ଭାରତ କହିଲା- 'ପାକ୍ ସରକାର ସବୁ ଦେଖି ମଧ୍ୟ ଚୁପ୍'

Published By : Prameya-News7 Bureau | January 22, 2021 IST

ଲାହୋର, ୨୨/୦୧ : ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି । ସେମାନଙ୍କ ପ୍ରତି ଭେଦଭାବ କରାଯାଉଛି । ଏହାକୁ ନେଇ ଭାରତ ୟୁଏନର ଦ୍ୱାରସ୍ଥ ହୋଇଛି । ଗତବର୍ଷ ଡିସେମ୍ବରରେ ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତର ଖରକ ଜିଲ୍ଲାରେ ଏହ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା । ଏହାସହ ମନ୍ଦିରରେ ନିଆଁ  ଲଗାଇ ଦେଇଥିଲେ । ଏହି ଘଟଣାକୁ ନେଇ ଭାରତ ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନକୁ ଆଇନା ଦେଖାଇବା ସହ କିପରି ହିନ୍ଦୁଙ୍କୁ ଅତ୍ୟାଚାର କରାଯାଉଛି ତାହା ପ୍ରକାଶ କରିଛି ।

ଭାରତ କହିଛି ଯେ, ୟୁଏନ ସାସ୍କୃତିକ ସଦଭାବ ଓ ଧାର୍ମିକ ସ୍ଥଳୀକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେଇଛି । କିନ୍ତୁ ପାକିସ୍ତାନରେ ଏହାର ବୀପରିତ ଘଟଣା ଦେଖିବାକୁ ମିଳିଛି । ଏଠାରେ ମନ୍ଦିରକୁ ଟାର୍ଗେଟ୍ କରାଯାଉଛି । ଏଠାରେ ଆତଙ୍କବାଦ, ହିଂସକ ଚରମପନ୍ଥୀ ଓ କଠୋରପନ୍ଥୀଙ୍କ ଦୌରାତ୍ମ୍ୟ ଲଗାତର ଭାବେ ବଢିଛି ।

ୟୁଏନରେ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ, ଭାରତରେ ସମସ୍ତ ଧର୍ମର ପୀଠ ଓ ଧାର୍ମିକ ସ୍ଥଳୀକୁ ସୁରକ୍ଷା ଦିଆଯାଉଛି । ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ହେଲେ ସେଠାକାର ସରକାର ମୁକଦର୍ଶକ ସାଜୁଛନ୍ତି । ସବୁ ଦେଖି ଓ ଜାଣି ଚୁପ୍ ରହୁଛନ୍ତି । ତେବେ ପାକିସ୍ତାନର ପ୍ରତିନିଧି ଭାରତର ଅଭିଯୋଗକୁ ଖଣ୍ଡନ କରିଥିଲେ ।

ସୂଚନାଯୋଗ୍ୟ, ପାକିସ୍ତାନର ଖୈବର ଫଖତୁନଖ୍ୱାର କରକ ଜିଲ୍ଲାରେ ଏକ ହିନ୍ଦୁ ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ପାକିସ୍ତାନ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.