ଭାରତ ଅକ୍ତିଆରରେ ଏବେ ଦକ୍ଷିଣ ପେଙ୍ଗୋଙ୍ଗର ୬ରୁ ଅଧିକ ପାହାଡ଼,ଚୀନ୍‌ର ବ୍ଲାକ୍ ଟପ ଓ ହେଲମେଟ୍ ଟପ୍

Published By : Prameya-News7 Bureau | September 20, 2020 IST

ଲେହ୨୦।୯: ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପଟେ ଥିବା ୬ ଅଧିକ ରଣନୈତିକ ପାହାଡକୁ  ଭାରତୀୟ ସେନା ଏବେ ନିଜ ଅକ୍ତିଆରକୁ ଆଣି ସାରିଲେଣି। ତେବେ ବ୍ଲାକଟପ୍‌ ଓ ହେଲମେଟ୍‌ ଟପ୍‌ ଏଲଏସିର ଚୀନ୍‌ ଭାଗରେ । ଏଣୁ ଏଥିପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି।  ଚଳିତମାସ ଆରମ୍ଭରୁ ଭାରତ ସୀମା ସଲଗ୍ନ ୬୦ରୁ ୭୦ କିଲୋମିଟର ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପାହାଡମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେଇଥିଲା। ଏହି ସବୁ ପାହାଡମାନଙ୍କ ଉପରେ ସେନାକୁ ମୁତୟନ କରିଥିଲା।

ତେବେ ରବିବାର ମିଳିଥିବା ସରକାରୀ ସୂଚନାରେ ଭାରତୀୟ ସେନା ବ୍ଲାକଟପ୍ ଓ ହେଲମେଟ୍ ଟପ୍ ପାହାଡକୁ ଦଖଲ କରିନଥିବା ସ୍ପଷ୍ଟ କରିଦିଆଯାଇଛି। ତେବେ ଚୀନ ଭାଗରେ ଥିବା ଏହି ଦୁଇ ପାହାଡ ଭାରତୀୟ ସେନା ପହଞ୍ଚରୁ ମାତ୍ର ଦେଢ କିଲୋମିଟ ଦୂରରେ ରହିଯାଇଛି ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ଏଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, ସିଡିଏସ୍ ବିପିନ ରାବତ ଓ ସ୍ଥଳ ସେନାଧ୍ୟକ୍ଷ ଏମ.ଏମ.ନରୱାଣେଙ୍କ ପ୍ରତ୍ୟକ୍ଷ ଦେଖରେଖରେ ସୈନ୍ୟ ଅପରେସନ ଚଳାଯାଇଥିଲା।

ଗତ ୨୯ ଅଗଷ୍ଟ ରାତିରେ କିଛି ଚୀନ ସୈନିକ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ଥାକୁଙ୍ଗ ପାହାଡ ଶିଖରକୁ ଉଠିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ପୂର୍ବରୁ ମୁତୟନ ଥିବା ସେନା ସେମାନଙ୍କୁ ଏଥିରେ ବାଧା ଦେଇଥିଲେ। ଅନୁନ୍ୟ ୨୦୦ ଚୀନ୍‌ ସୈନିକ ଟ୍ୟାଙ୍କ ଓ କମାଣ ସହ ଏହି ପାହାଡ ଦଖଲ କରିବାକୁ ଆସିଥିଲେ। ସେମାନେ ୨୯ ତାରିଖ ରାତିରେ ଫେରିଯିବା ପରେ ପୁଣି ୩୦ ତାରିଖରେ ମଧ୍ୟ ସମାନ ଉଦ୍ୟମ କରିଥିଲେ। ହେଲେ ଭାରତୀୟ ସେନାର ସତର୍କତା ଦେଖି ସେମାନେ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପରେ ଭାରତ ରଣନୈତିକ ପରିବର୍ତ୍ତନ କରିବା ସହ ହ୍ରଦର ଦକ୍ଷିଣକୁ ଲାଗି ରହିଥିବା ସୀମାର ସୁରକ୍ଷା କଡାକଡି କରିଦେଇଛି।

ଅପରେସନ ସ୍ନୋ ଲିୟୋପାର୍ଡ ଅଭିଯାନରେ ଭାରତ ମାଗର ହିଲ, ଗୁରଙ୍ଗ ହିଲ, ରେଜାଙ୍ଗ ଲା, ମୋଖପାରୀ ଓ ଫିଙ୍ଗର-୪ ରିଜ ଲାଇନରେ ଥିବା ସମସ୍ତ ପାହାଡ ଉପରେ ନିଜର କର୍ତ୍ତୃତ ଜାହିର କରିଛି। ତେବେ ଚୀନ୍ ସୈନ୍ୟ ଉପସ୍ଥିତିରେ ଏହି ସବୁ ପାହାଡକୁ ପୁଣି ଦଖଲକୁ ନେବା ଭାରତ ଲାଗି ଏତେ ସହଜ ନଥିଲା। ଏହି ସବୁ ପାହାଡ ଦଖଲ ଲାଗି ସୈନ୍ୟ ଅଭିଯାନ ବେଳେ ସୀମାରେ ଭାରତୀୟ ବାୟୁସେନା ଯୁଦ୍ଧବିମାନ ଆକାଶରୁ ସୁରକ୍ଷା ଯୋଗାଇ ଦେଇଥିଲା। ଏହି ଅପରେସନ ଅତ୍ୟନ୍ତ ଗୋପନୀୟ ଢଙ୍ଗରେ କରାଯାଇଥିଲା। ତେବେ ପାହାଡ ଶିଖରମାନଙ୍କରେ ଜାତୀୟ ପତାକା ଉଡିବା ପରେ ଚୀନ ସେନାକୁ ଏହାର ସୂଚନା ମିଳିଥିଲା। ହେଲେ ସେତେବେଳକୁ ଭାରତ ନିଜ ସୀମା ନିଜ ଆୟତରେ କରିସାରିଥିଲା।

ତେବେ ଭାରତୀୟ ସୀମାରେ ପାହାଡ ସବୁ ସେନା ଆୟତ୍ତକୁ ଆସିବା ବେଳେ ବ୍ଲାକଟପ୍ ଓ ହେଲମେଟ୍ ଟପ୍‌କୁ ନେଇ ଭ୍ରମ ସୃଷ୍ଟି ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ଏହି ଦୁଇ ପାହାଡ ମଧ୍ୟ ଭାରତ ନିୟନ୍ତ୍ରଣକୁ ଆସିଥିବାର ପ୍ରଚାରିତ ହୋଇଥିଲା। ହେଲେ ଏଲଏସି ଚୀନ ଭାଗରେ ଏହି ଦୁଇପାହାଡ ଥିବାର ରବିବାର ସରକାର ସ୍ପଷ୍ଟ କରିଦେଇଛନ୍ତି। ଭାରତୀୟ ସେନା ନିଜ ସୀମା ଦଖଲକୁ ନେବା ପରେ ଚୀନ୍‌ ଏବେ ସେଠାରେ ନିଜ ମିଳିତ ବ୍ରିଗେଡର ୩ ହଜାର ସୈନିକ ଠୁଳ କରିଛି। ଏଥିରେ ରେଜାଙ୍ଗ ଲା, ରେଚାଙ୍ଗ ଲା ହାଇଟସ୍‌ ନିକଟରେ ଇନଫେଣ୍ଟ୍ରି ଓ ଆର୍ମର୍ଡ ଭେଇକିଲ ଛିଡା କରିଥିବା ଦେଖାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.