ଦେଶର ସବୁଠାରୁ ଥଣ୍ଡା ଜାଗା, ଯେଉଁଠି ତାପମାତ୍ରା ମାଇନସ ୩୫ ଡିଗ୍ରୀ : ଦିନ ରାତି ଛିଡା ରହି ଭାରତୀୟ ସେନା କରୁଛନ୍ତି ସୀମା ସୁରକ୍ଷା
7/02/2019 at 6:38 PM

ଲଦାଖ ୭/୨ : ଜାମ୍ମୁ କାଶ୍ମୀର କାର୍ଗିଲ ଅନ୍ତର୍ଗତ ଦ୍ରାସ ଅଂଚଳରେ ଭୀଷଣ ଥଣ୍ଡା ହେଉଛି | ଏଠାରେ ତାପମାତ୍ରା -୩୧.୪ ଡିଗ୍ରୀ ରହିଛି | ଏତେ ଥଣ୍ଡାରେ ମଧ୍ୟ ଭାରତୀୟ ସେନା ଏଠାରେ ସୀମାର ସୁରକ୍ଷା ପାଇଁ ଦିନ ରାତି ସେଠାରେ ଛିଡା ରହିଛନ୍ତି | ଋଷର ସାଇବେରିଆ ପରେ ଦୁନିଆର ସବୁଠାରୁ ଥଣ୍ଡା ଜାଗା ଦ୍ରାସ ସେକ୍ଟର | ଭାରତର ସବୁଠାରୁ ଥଣ୍ଡା ଜାଗା ଦ୍ରାସ | ଶ୍ରୀନଗର ଠାରୁ ୬୦ କି:ମି: ଦୂରରେ ଅବସ୍ଥିତ ଦ୍ରାସ | ଦ୍ରାସକୁ ଲଦାଖର ଗେଟୱେ ବୋଲି ମଧ୍ୟ କୁହାଯାଏ | ଏହି ସମ୍ପୂର୍ଣ ଅଂଚଳକୁ ହିମାଳୟ ଘେରି ରହିଛି | ଶୀତ ଋତୁରେ ଏଠାରେ ନଦୀ ନାଳ ସବୁଠି ବରଫ ଜମିଯାଏ |

ଏଠାରେ ତାପମାତ୍ରା -୩୦ ଡିଗ୍ରୀ ରୁ -୪୦ ଡିଗ୍ରୀ ରହେ | ୧୯୯୫ ମସିହାରେ ଏଠାରେ ସର୍ବନିମ୍ନ ତାପମାତ୍ରା -୬୦ ଡିଗ୍ରୀ ରେକର୍ଡ କରାଯାଇଥିଲା | ଏଠାରେ ଏତେ ଥଣ୍ଡା ଯେ, ମଣିଷ ରକ୍ତ ମଧ୍ୟ ବରଫ ପାଲଟିଯାଏ | ଏହି ଅଂଚଳରେ ମୋଟ ୧୩୦୦ ଲୋକ ବସବାସ କରୁଛନ୍ତି |

ସେଠାକାର ୬୦ ବର୍ଷ ବୟସ୍କ ଅଘା ଅଲ୍ଲୀ କହିଛନ୍ତି ଯେ, ଶୀତ ଋତୁରେ ଏଠାରେ ଲୋକେ ଘରୁ ବାହାରକୁ ବାହାରନ୍ତି ନାହିଁ | ଏଠାରେ ଅଧିକାଂଶ ସମୟରେ ବିଦ୍ୟୁତ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଯେଉଁଥିପାଇଁ ଲୋକେ ରୁମ ହିଟର ମଧ୍ୟ ବ୍ୟବହାର କରିପାରିନଥାନ୍ତି | ଗରମ ପାଇଁ ଲୋକେ ପାରମ୍ପରିକ ଉପାୟ ଅବଲମ୍ବନ କରିଥାନ୍ତି | ଶୀତ ଋତୁ ପୂର୍ବରୁ ଲୋକେ ଖାଦ୍ୟ ସାମଗ୍ରୀ ସଂଚୟ କରି ରଖିଥାନ୍ତି | ଶୀତ ଋତୁରେ ଲୋକଙ୍କୁ ସତେଜ ପନିପରିବା ମଧ୍ୟ ମିଳିନଥାଏ | ଲୋକେ ବରଫକୁ ତରଳି ପିଇବା ପାଇଁ ପାଣି ବାହାର କରିଥାନ୍ତି |

ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ କାର୍ଗିଲ ଟାଇଗର ହିଲରେ ପାକିସ୍ତାନ ସେନା ଆକ୍ରମଣ କରିଥିଲା | ସେତେବେଳେ ଭାରତ ପାକିସ୍ତାନ ମଧ୍ୟରେ ଘମାସନ ଯୁଦ୍ଧ ହୋଇଥିଲା |

ସେଠାରେ ଡ୍ୟୁଟିରେ ଥିବା ଜଣେ ଯବାନ କହିଛନ୍ତି ଯେ, ଏବେ ସେଠାରେ ତାପମାତ୍ରା -୩୫ ଡିଗ୍ରୀ ରହିଛି | ସକାଳ ୬ଟା ରୁ ଉଠି ସୀମାରେ ପେଟ୍ରୋଲିଙ୍ଗ କରିବାକୁ ପଡିଥାଏ | ଯବାନମାନେ ନିଜ ସହିତ ଖାଦ୍ୟ ବି ନେଇଯାଇଥାନ୍ତି | ସେ କହିଛନ୍ତି ଯେ, ଯବାନମାନଙ୍କୁ ଏଭଳି ଟ୍ରେନିଂ ଦିଆଯାଇଛି ଯେ, ଯଦି ବରଫରେ କେହି ଯବାନ ଫସି ଯାଆନ୍ତି ତାହେଲେ ୭୨ ଘଣ୍ଟା ପର୍ଯ୍ୟନ୍ତ ସେମାନେ ନିଜକୁ ଜୀବିତ ରଖିପାରିବେ | ସେ କହିଛନ୍ତି ଯେ, ଭାରତୀୟ ସେନାଙ୍କ ସିଡ୍ୟୁଲରେ ଏବେ ଯୋଗକୁ ମଧ୍ୟ ସ୍ଥାନ ଦିଆଯାଇଛି | ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବ ସହ ମନ ମଧ୍ୟ ପ୍ରଫୁଲ୍ଲ ରହେ | ଯବାନ ସେଠାରେ ପ୍ରତିଦିନ ଯୋଗ କରୁଛନ୍ତି |
