ଭାରତ-ଚୀନ ବିବାଦରେ ଆମେରିକା ସଂସଦରେ ଉଠିଲା ସ୍ଵର: ବେଜିଂକୁ ଜଣାଇବାର ସମୟ ଆସିଗଲା, ବାସ୍ ବହୁତ ହୋଇଗଲା
27/06/2020 at 5:01 PM

ନୂଆଦିଲ୍ଲୀ ୨୭।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି। ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ବିସ୍ତାବବାଦୀ ନୀତି ରଖୁଥିବା ଏହି ଦେଶକୁ ଉଚିତ୍ ଶିକ୍ଷା ଦେବାକୁ ବୈଶ୍ଵିକସ୍ତରରେ ଦାବି ଉଠିଛି। ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ କହିଛନ୍ତି, ପୂର୍ବ ଲଦାଖରେ ଚୀନ ଭାରତକୁ ଉସୁକାଇବା ପରି କାମ କରୁଛି। ଅଧିକ ସଂଖ୍ୟାରେ ସୈନିକ ମୁତୟନ କରି ଶାନ୍ତିପୂର୍ଣ୍ଣ ଦେଶକୁ ଧମକ ଦେଉଥିବା ଚୀନର ନିୟୋଜିତ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ଆଉ ବରଦାସ୍ତ କରାଯାଇ ପାରିବ ନାହିଁ।
କଂଗ୍ରେସ ସଦସ୍ୟ ଟେଡ୍ ୟୋହୋ କହିଛନ୍ତି ଯେ, ଏବେ ଦୁନିଆ ପାଇଁ ଏକଜୁଟ୍ ହେବା ଏବଂ ଚୀନକୁ ଏହା ଜଣାଇବାର ସମୟ ଆସି ଯାଇଛି ଯେ, ବାସ୍ ବହୁତ ହୋଇଗଲା। ୟୋହୋ ଶୁକ୍ରବାର କହିଛନ୍ତି, ଭାରତ ପ୍ରତି ଚୀନର କାର୍ଯ୍ୟାନୁଷ୍ଠାନ ଚୀନର କମ୍ୟୁନିଷ୍ଟ ପାର୍ଟିର ବୃହତ ପ୍ରାଧ୍ୟାନ୍ୟ ବିସ୍ତାରବାଦୀ ପ୍ରବୃତ୍ତିର ଅନୁରୂପ ରହିଛି। ଚୀନ କୋଭିଡ୍-୧୯ ଅପବାଦରୁ ଧ୍ୟାନ ହଟାଇବା ପାଇଁ ପୂର୍ବ ଲଦାଖରେ ବ୍ୟାପକ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରି ଭାରତ ସହିତ ଅଯଥା ବିବାଦ ସୃଷ୍ଟି କରୁଛି।
ରିପବ୍ଲିକାନ ସାଂସଦ ଟ୍ଵିଟ୍ କରିଛନ୍ତି ଯେ, ଆମେରିକା ଶାନ୍ତିପୂର୍ଣ୍ଣ ଦେଶକୁ ଡରାଇବା-ଧମକାଇବା ପାଇଁ ପୂର୍ବ ନିୟୋଜିତ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ କେବେ ମଧ୍ୟ ସମର୍ଥନ କରିବ ନାହିଁ। ଏହା ପୂର୍ବରୁ ପ୍ରତିନିଧି ସଭାରେ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତୀୟ-ଆମେରିକୀ ସାଂସଦ ଥିବା ଡ. ଏମବି ବେରା ଭାରତ ସହିତ ଚୀନର ଆକ୍ରମଣାତ୍ମକ ନୀତିକୁ ନେଇ ଚିନ୍ତା ପ୍ରକଟ୍ କରିଛନ୍ତି।