ଲଦାଖ: ସାଢେ ୫ ଘଣ୍ଟା ଧରି ଚାଲିଲା ଆଲୋଚନା, ଭାରତର ରୋକ୍ ଠୋକ୍- ପଛକୁ ହଟିଯାଉ ଚୀନ ସେନା

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୦୬।୦୬: ଭାରତ ଓ ଚୀନ ମଧ୍ୟରେ ଲଦାଖର ପୂର୍ବ ସୀମାନ୍ତରେ ଉତ୍ତେଜନାମୂଳକ ସ୍ଥିତି ଜାରି ରହିଛି। ଉତ୍ତେଜନା ମଧ୍ୟରେ ଶନିବାର ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ବୈଠକ ବିବାଦୀୟ ସ୍ଥାନରୁ ୨୦ କିଲୋମିଟର ଦୂରରେ ସ୍ଥିତ ମୋଲଡୋରେ ଅନୁଷ୍ଠିତ ହୋଇଛି। ଦୁଇ ଦେଶ ମଧ୍ୟରେ ଏହି ବୈଠକ ପ୍ରାୟ ସାଢେ ୫ ଘଣ୍ଟା ଧରି ଚାଲିଥିଲା। ସମାଚାର ଏଜେନ୍ସି ଆଇଏନଏସ ସୂତ୍ର ଅନୁଯାୟୀ ଭାରତ ଚୀନକୁ ନିଜର ଯବାନ ହଟାଇବାକୁ ଦାବି କରିଛି। ମାତ୍ର ସେନା ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ବୟାନ ସାମ୍ନାକୁ ଆସିନାହିଁ।

ବୈଦେଶିକ ମନ୍ତ୍ରଣାଳୟ ଓ ଆର୍ମି ମୁଖ୍ୟ କରିବେ ସାମ୍ଵାଦିକ ସମ୍ମିଳନୀ

ସମାଚାର ଏଜେନ୍ସି ଆଇଏନଏସ ଅନୁଯାୟୀ ସେନା ଆଲୋଚନାର ସମସ୍ତ ତଥ୍ୟ  ବୈଦେଶିକ ମନ୍ତ୍ରଣାଳୟ ଓ ସରକାରଙ୍କ ସମ୍ବନ୍ଧିତ ଅଧିକାରୀଙ୍କୁ ପ୍ରଦାନ କରିବେ। ଆଜି ଅନୁଷ୍ଠିତ ବୈଠକରେ ଭାରତୀୟ ସେନାର ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଭାରତ ପକ୍ଷରୁ ନେତୃତ୍ଵ ନେଇଥିଲେ। ସୂତ୍ର ମୁତାବକ ବୈଠକରେ ଆଜିର ବୈଠକରେ ପାଙ୍ଗଙ୍ଗ ହ୍ରଦ, ଫିଙ୍ଗର ଫୋର ଓ ଫିଙ୍ଗର  ଫାଇଭ୍‌ରେ ଚୀନର ବଢୁଥିବା ଚାପ ଓ ଅତିରିକ୍ତ ସୈନ୍ୟ ମୁତୟନ ସହିତ ତମ୍ଵୁ କାଢିବା ଓ ସ୍ଥାୟୀ ନିର୍ମାଣ କରିବା ଆଦି ବିଷୟରେ ଆଲୋଚନା ହୋଇଛି। ବୈଠକରେ ସ୍ପଷ୍ଟ ଭାବେ ଭାରତ ପକ୍ଷରୁ କୁହାଯାଇଛି ଯେ, ୨୦୨୦ ଏପ୍ରିଲରେ ଯାହା ସ୍ଥିତାବସ୍ଥା ଥିଲା ତାହା ଉପରେ ଚୀନ କାମ କରୁ।

ସୂତ୍ର ଅନୁଯାୟୀ ଭାରତୀୟ ପ୍ରତିନିଧିମଣ୍ଡଳ(LAC) ମୋଲଡୋରେ ଆଲୋଚନା କରିବା ପରେ ଲେହକୁ ଫେରି ଆସିଛନ୍ତି। ଭାରତର ପ୍ରତିନିଧିମଣ୍ଡଳ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମଏମ ନରଓ୍ଵାଣେ ଓ ଉତ୍ତରୀ ସେନାର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ଵାଇକେ ଯୋଶୀ ସହିତ ଉଚ୍ଚ ଅଧିକାରୀଙ୍କୁ ଆଲୋଚନା ବିଷୟରେ ପୂରା ତଥ୍ୟ ଦେବେ। ଏହା ପରେ ସେନା ସଞ୍ଚାଳନ ମହାନିର୍ଦ୍ଦେଶକ ମଧ୍ୟ ଚର୍ଚ୍ଚା ବିଷୟରେ ବୈଦେଶିକ ମନ୍ତ୍ରଣାଳୟ ଓ ଅନ୍ୟ ସମ୍ଵନ୍ଧିତ ଅଧିକାରୀଙ୍କୁ ସରକାରୀ ଅଧିକାରୀଙ୍କୁ ସୂଚନା ଦେବେ।

ଶନିବାର ଦୁଇ ଦେଶ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲସ୍ତରୀୟ ଆଲୋଚନା ପୂର୍ବରୁ ଶୁକ୍ରବାର କମାଣ୍ଡରସ୍ତରୀୟ ଦୁଇ ନେତା ମଧ୍ୟରେ ୧୨ ରାଉଣ୍ଡ ଆଲୋଚନା  ହୋଇ ସାରିଛି। ଏହା ବ୍ୟତୀତ ୩ ମେଜର ଜେନେରାଲସ୍ତରୀୟ ଆଲୋଚନା ମଧ୍ୟ ହୋଇ ସାରିଛି।

ଅନେକ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ସ ନବାହାରିବାରୁ ବଡସ୍ତରରେ ଆଲୋଚନା କରିବାକୁ ଦୁଇ ଦେଶ ନିଷ୍ପତ୍ତି ନେଇଥିଲେ। ଗୋଟିଏ ଦିନ ପୂର୍ବେ ଦୁଇ ଦେଶ ମଧ୍ୟରେ ହୋଇଥିବା କୂଟନୈତିକସ୍ତରୀୟ ଆାଲୋଚନାରେ ଦୁଇ ପକ୍ଷ ପରସ୍ପରର ସମ୍ଵେଦନଶୀଳତା ଓ ଚିନ୍ତାକୁ ସମ୍ମାନ ଜଣାଇ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ନିଜର ମତଭେଦକୁ ସମାପ୍ତ କରିବା ଉପରେ ସହମତି ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.