ଉରୀ-ପୁଲଓ୍ୱାମା ଭଳି ସାଙ୍ଘାତିକ ହେଲା ଗଲଓ୍ୱାନ୍: ହେଲା ବଡ କ୍ଷତି, ୨୦ବୀର ଯବାନଙ୍କୁ ହରାଇଲା ଭାରତ
17/06/2020 at 7:50 AM

ନୂଆଦିଲ୍ଲୀ ୧୭।୦୬: LACରେ ସୋମବାର ବିଳମ୍ବିତ ରାତିରେ ଚୀନ୍ ଓ ଭାରତ ସେନା ମଧ୍ୟରେ ହୋଇଛି । ଏହି ହିଂସାରେ ଭାରତ ତାର ୨୦ବୀର ସୈନିକଙ୍କ ହରାଇଦେଇଛି । ସେହିପରି ଏହି ଘଟଣାରେ ଚୀନ୍କୁ ମଧ୍ୟ ଭାରି କ୍ଷତି ସହିବାକୁ ପଡିଛି । ଜାତୀୟ ଗଣମାଧ୍ୟମ ଅନୁଯାୟୀ ଏହି ଚୀନ୍ର ୪୩ଜଣ ମୃତାହତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଚୀନ୍ରେ କେତେଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଛି ଓ କେତେଜଣ ସୈନ୍ୟ ଆହତ ହୋଇଛନ୍ତି । ଏନେଇ ଚୀନ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହି। ଚୀନ୍ର ଗଣମାଧ୍ୟମରେ କେବଳେ ଗୋଟିଏ କଥା ଚାଲିଛି । ତାହା ହେଉଛି ହିଂସାରେ ଚୀନ୍କୁ ମଧ୍ୟ ବିପୁଳ ପରିମାଣର କ୍ଷତି ସହିବାକୁ ପଡିଛି ।
ଲଦାଖର ଗଲଓ୍ୱାନ ଘାଟିରେ ହୋଇଥିବା ହିଂସା ରେ ଭାରତ ନିଜର ୨୦ଜଣ ସୈନ୍ୟଙ୍କୁ ହରାଇଦେଇଛି । ଏହାପୂର୍ବରୁ ଜାମ୍ମ-କାଶ୍ମରୀର ଉରୀ ଓ ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ କିଛି ବର୍ଷ ତଳେ ଅନେକ ସୈନ୍ୟ ସହିଦ ହୋଇଥିଲା । ଏହି ଦୁଇ ଘଟଣ ପରେ ଏହା ତୃତୀୟ ଘଟଣା ବୋଲି ମନେକରାଯାଉଛି । ବିଗତ ବର୍ଷମାନଙ୍କରେ ଏହା ତୃତୀୟ ଘଟଣା । ଯାହାକି ଏତେ ପରିମାଣର ସୈନ୍ୟ ସହିଦ ହୋଇଛନ୍ତି । ଯାହାକି ଭାରତୀୟ ସେନା ପାଇଁ ବହୁତ ବଡ କ୍ଷତି ବୋଲି ମନେ କରାଯାଉଛି । ଉରୀ ଓ ପୁଲଓ୍ୱାମରେ ଭାରତକୁ ଗଭୀର କ୍ଷତି ଦେଇଥିବା ଚୀନ୍ର ମିତ୍ର ଦେଶ ପାକିସ୍ତାନ । ଏହି ଦୁଇ ଆତଙ୍କୀ ଆକ୍ରମଣ ପରେ ଭାରତ ମଧ୍ୟ କଡା ଜବାବ ଦେଇଥିଲା । ଯାହାକି ପାକିସ୍ତାନର ସବୁ ଦିନ ପାଇଁ ମନେ ରହିବ ।
ଉରୀ ଆକ୍ରମଣରେ ୧୯ଜଣ ଯବାନ ସହିଦ
୧୮ ସେପ୍ଟେମ୍ବର ୨୦୧୬ରେ ଉରୀ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଭାରତର ୧୯ଜଣ ଯବାନ ସହିଦ ହୋଇଥିଲେ । ସକାଳ ୫.୩୦ରେ ଏହି ଆକ୍ରମଣ ହୋଇଥିଲା । ଉରୀ ଠାରେ ଥିବା ଭାରତୀୟ ସେନାର ବିଗ୍ରେଡ ହେଡ୍କ୍ୱାଟରେ ଆକ୍ରମଣ ହୋଇଥିଲା । ଆତଙ୍କବାଦୀ ୩ମିନିଟରେ ୧୭ଟି ହ୍ୟାଣ୍ଡ ଗ୍ରେନେଡ୍ ପକାଇଥିଲେ । ଏହାପରେ ଆତଙ୍କବାଦୀ ଓ ସେନାଙ୍କ ମଧ୍ୟରେ ୬ଘଣ୍ଟା ଧରି ଗୁଳିବିନିମୟ ଚାଲିରହିଥିଲା । ଶେଷରେ ଚାରିଜଣ ଆତଙ୍କବାଦୀଙ୍କୁ ସେନା ନିହତ କରିଥିଲେ । ଉରୀ ଆକ୍ରମଣର ୧୦ଦିନ ଭିତରେ ଭାରତ ପାକିସ୍ତାନକୁ କଡ ଜବାବ ଦେବା ପାଇଁ ଯୋଜନା କରିଥିଲା । ୧୫୦ଜଣ କମାଣ୍ଡୋକୁ ନେଇ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଭାରତୀୟ ଯବାନମାନେ ପୁରା ପ୍ଲାନ୍ କରି ୨୮-୨୯ ସେପ୍ଟେମ୍ବରର ବିଳମ୍ବିତ ରାତିରେ ପିଓକେର ସୀମାରେ ୩କିମି ଭିତରେ ପଶି ଆତଙ୍କବାଦୀ ବେସ୍କୁ ଧ୍ୱଂସ କରିଦେଇଥିଲା ।ସୀମାରେ ଆତଙ୍କବାଦୀଙ୍କ ପକ୍ଷରୁ କରାଯାଇଥିବା ଲଞ୍ଚିଂ ପ୍ୟାଡ୍କୁ ନଷ୍ଟ କରିବା ସହ ୩୮ ଆତଙ୍କବାଦୀ ନିହତ ହୋଇଥିଲା । ଏବଂ ଆକ୍ରମଣରେ ପାକିସ୍ତାନ ସେନାର ୨ଯବାନ ମଧ୍ୟ ନିହତ ହୋଇଥିଲା ।
ପୁଲଓ୍ୱାମା ଆକ୍ରମଣରେ ୪୫ ଯବାନ ସହିଦ-
୧୪ ଫେବୃଆରୀ ୨୦୧୯ରେ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ CRPFର ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା । CRPF ସେନାଙ୍କୁ ନେଇ ଯାଉଥିବା ଗାଡିକୁ ଲକ୍ଷ୍ୟ କରାଯାଇ ବିସ୍ଫୋରଣ କରାଯାଇଥିଲା । ଏହି ଆକ୍ରମଣରେ ଭାରତର ୪୫ଜଣ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଏହି ଆତ୍ମଘାତୀ ଆକ୍ରମଣ କରିଥିଲା । ସୁରକ୍ଷାକର୍ମୀମାନେ ଶ୍ରୀନଗର-ଜାମ୍ମୁ ହାଇଓ୍ୱେରେ ଯାଉଥିବା ବେଳେ ଆକ୍ରମଣ କରାଯାଇଥିଲା । ଭାରତୀୟ ସେନାରେ ଏତେ ପରିମାଣରେ ସେନା ସହିଦ ହେବା ପରେ ପୁଣି ଥରେ ପାକିସ୍ତାନକୁ ସବକ୍ ଶିଖାଇବାକୁ ଭାରତୀୟ ସେନା ଯୋଜନା ପ୍ରସ୍ତୁତ କରିଥିଲା । ପୁଲ୍ଓ୍ୱାମା ଆକ୍ରମଣର ୧୩ଦିନ ପରେ ୨୬ ଫେବୃଆରୀକୁ ଭାରତୀୟ ବାୟୁସେନାର ପ୍ରତି ଆକ୍ରମଣରେ ପାକିସ୍ତାନର ବାଲାକୋଟରେ ଚାଲିଥିବା ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରିଦିଆଯାଇଥିଲା । ପାକିସ୍ତାନର ବାଲାକୋଟରେ ଭାରତ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହି ଏୟାରଷ୍ଟ୍ରାଇକ୍ରେ ଜୈସ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ ନଷ୍ଟ ହୋଇଯାଇଥିଲା । ଏୟାରଷ୍ଟ୍ରାଇକ୍ରେ ଅନେକ ଆତଙ୍କାବାଦୀ ନିହତ ହୋଇଥିବା ଜଣାପଡିଥିଲା । କିନ୍ତୁ ପାକିସ୍ତାନ ପକ୍ଷରୁ ଏହି ସମସ୍ତ ଘଟଣାକୁ ଖାରଜ କରିଦିଆଯାଇଥିଲା ।