ତଥାପି ଚୀନ୍‌ର ଆଣ୍ଟ ଭାଙ୍ଗୁନି : ଲଦାଖରେ ଠୁଳ କରିଛି ସୈନ୍ୟ , ସୀମା ସୁରକ୍ଷା ପାଇଁ ଭାରତୀୟ ସେନା ବି ତୟାର

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯।୦୫:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଗତ କିଛି ଦିନ ହେବ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ନିଜ ଗତିବିଧୀ ବଢାଇ ଦେଇଛି । ଏହାକୁ ଦେଖି ଭାରତ ମଧ୍ୟ ସତର୍କ ହୋଇଯାଇଛି । ଭାରତ-ଚୀନ୍‌ ମଧ୍ୟରେ ଦିନକୁ ଦିନ ସୀମା ବିବାଦ ବଢିବାର ଲାଗିଛି । କିଛି ଦିନ ଧରି ସୀମାରେ ହେଲିକପ୍ଟର ଉଡାଣ ଓ ଭାରତୀୟ ସୀମାକୁ ଚିନ୍‌ ସୈନ୍ୟଙ୍କ ପ୍ରବେଶ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଦେଖାଦେଇଥିଲା । କିଛି ଦିନ ତଳେ ଉଭୟ ଦେଶର ସୈନ୍ୟବାହିନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା । ଯାହାକୁ ନେଇ ଉଭୟ ଦେଶର ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ଦ୍ୱାରା ଏକ ବୈଠକ ବସିଥିଲା । ଏବଂ ବୈଠକରେ ବିବାଦର ସମାଧାନ ହୋଇଥିଲା ବୋଲି ଜଣାପଡିଥିଲା । କିନ୍ତୁ କିଛି ଦିନ ପରେ ପୁଣି ଥରେ ଭାରତୀୟ ସୀମାରେ ଚିନ୍‌ ସୈନ୍ୟବାହିନୀଙ୍କ ଗିତିବିଧି ଦେଖିବାକୁ ମିଳିଥିଲା । ଏପିରିକି ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍‌ ହେଲିକପ୍ଟର ଉଡିବାକୁ ଲାଗିଥିଲା । ଯାହାକୁ ଦେଖି ଭାରତୀୟ ବାୟୁସେନା ମଧ୍ୟ ସୀମାକୁ ନିଜର ଲଢୁଆ ଯୁଦ୍ଧବିମାନ ପଠାଇଥିଲା । ଯାହାପରେ ପରିସ୍ଥିତି ଟିକିଏ ସ୍ଥିର ଜଣାପଡିଥିଲା ।

କିନ୍ତୁ ଚୀନ୍‌ ପୁଣି ତାର ବଦ୍‌ମାସ ଆରମ୍ଭ କରିଦେଇଥିଲା । ଲଦାଖ ସୀମାନ୍ତରେ ନିଜର ବିପୁଳ ପରିମାଣର ସୈନ୍ୟବାହିନୀ ଠୁଳ କରିଛି ଚୀନ୍‌ । ଯାହାକୁ ଦେଖି ଭାରତ ମଧ୍ୟ ସୀମାରେ ଡ୍ରାଗନ୍‌ ମୁକାବିଲା ପାଇଁ ସୈନ୍ୟବାହିନୀ ମୁତୟନ କରିଛି । ଚୀନ୍‌ ସୀମାକୁ ଲାଗିଥିବା ଲଦାଖରେ ଭାରତୀୟ ସେନା ପକ୍ଷରୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ଚୀନ୍‌କୁ ମୁଁହତୋଡ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ସେନା ।

ଏପରିକି ଚୀନ ଲଗାତାର ଏଲଏସିରେ ୧୯୬୨ ଭଳି ଗତିବିଧି ବଢାଇ ଦେଇଥିବାର ଘଟଣା ସାମ୍ନାକୁ ଆସୁଛି  । ଏଠାରେ ଚୀନ ନିଜ ସୈନିକଙ୍କୁ ବଢାଇ ଦେଇଛି । ଯେଉଁ ଅଞ୍ଚଳରେ ଚୀନ ନିଜ ଅଧିକ ସୈନିକ ମୁତୟନ କରିଛି ସେଠାରେ ପୂର୍ବରୁ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଭାରତ ମଧ୍ୟ ଏଠାରେ ସୁରକ୍ଷା ଦୃଷ୍ଟିରୁ ଅଧିକ ଯବାନଙ୍କୁ ପଠାଇଛି । ଗଲଓ୍ୱାନ ନଦୀ ନିକଟରେ ଚୀନ ସୈନିକ ଟେଣ୍ଟ୍ ଲଗାଇବା ସହ ଏକ ବ୍ୟାନର ମଧ୍ୟ ମାରିଛନ୍ତି । ସେମାନେ ଏହି ଅଞ୍ଚଳକୁ ନିଜର କହି ବ୍ୟାନରରେ ଉଲ୍ଲେଖ କରିଛନ୍ତି । ଏହି ଟେଣ୍ଟ୍ ଲଗାଇବା ପରେ ଉଭୟ ଦେଶର ସେନା ମଧ୍ୟରେ ତିକ୍ତତା ବଢିଯାଇଛି । ଚୀନ ଏହି ଅଞ୍ଚଳରେ କିଛି ନିର୍ମାଣ କାମ ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି । ଏହି ପରିସ୍ଥିତିକୁ ନଜରରେ ରଖି ନୂଆଦିଲ୍ଲୀରେ ନ୍ୟାଶନାଲ ସିକ୍ୟୁରିଟୀ କାଉନସିଲ୍ ବୈଠକ କରିଛି । ଏହା ଭାରତ ସହ ତିକ୍ତରା ବୃଦ୍ଧି କରିବା ପାଇଁ ଚୀନର ଏକ ଚାଲ୍ ବୋଲି ଅନେକ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.