ଯେବେ ଅଟଳ ବିହାରି ବାଜପେୟୀ ମେଣ୍ଢା ଜରିଆରେ ଚୀନକୁ ଦେଇଥିଲେ ଉଚିତ୍ ଶିକ୍ଷା, ହଜମ କରି ପାରିନଥିଲା ଡ୍ରାଗନ

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୦୬: କୋଭିଡ୍-୧୯ ସଂକ୍ରମଣ ବିଷୟରେ ପୂରା ଦୁନିଆକୁ ଅନ୍ଧକାରରେ ରଖି ପୂରା ଦୁନିଆରେ ଅପବାଦର ଶିକାର ହୋଇଥିବା ଚୀନର ବିସ୍ତାରବାଦୀ ଏବଂ ଆକ୍ରମଣାତ୍ମକ ନୀତି ଦୁନିଆ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏତେ ଅସନ୍ତୋଷ ପରେ ମଧ୍ୟ ଦୁନିଆରେ ଚୀନ ବିରୋଧରେ ବୟାନବାଜି ଛଡା ଆଉ କିଛି ଦେଖିବାକୁ ମିଳୁନାହିଁ। ଏହା ସହିତ ଦୁନିଆ ତା ବିଷୟରେ କଣ ଚିନ୍ତା କରେ ଚୀନକୁ ଏହାର କିଛି ଫରକ ପଡେ ନାହିଁ। କିନ୍ତୁ ନିଜର ବାକ୍‌ କୌଶଳ ପାଇଁ ବିଖ୍ୟାତ ତଥା ଦାମ୍ଭିକ ଓ ସାହସି ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିନା ଶବ୍ଦରେ ଚୀନକୁ ଏମିତି ଶିକ୍ଷା ଦେଇଥିଲେ ଯେ, ରାଗରେ ଜର୍ଜରିତ ଚୀନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବହାଦୂର ଶାସ୍ତ୍ରୀଙ୍କୁ ପତ୍ର ଲେଖି ଏହା ନିଜର ଅପମାନ ହୋଇଥିବା କହିଥିଲା।

୧୯୬୨ ପରେ ଚୀନ ପୁଣି ଥରେ ଭାରତ ସହିତ ସଂଘର୍ଷ ପାଇଁ ପ୍ରସ୍ତୁତ ଥିଲା। ସୈନ୍ୟ ସଂଘର୍ଷ ପାଇଁ ୧୯୬୫ ଅଗଷ୍ଟ-ସେପ୍ଟେମ୍ବରରେ ଚୀନ ଅନେକ ବାହାନା କାଢିଥିଲା। ଏଥିରୁ ଗୋଟିଏ ବାହାନ ଥିଲା ଯେ, ଭାରତ ତାର ମେଣ୍ଢା ଓ ଚମରୀ ଗାଈ ଚୋରାଇ ନେଇଛି। ଏହା ସେହି ସମୟ ଥିଲା ଯେବେ ଚୀନ ନିଜର ସୀମାକୁ ଆହୁରି ବିସ୍ତାର କରିବା ପାଇଁ ସିକ୍କିମ ଉପରେ କୋପ ଦୃଷ୍ଟି ପକାଇଥିଲା। ସେହି ସମୟରେ ଭାରତ କାଶ୍ମୀରରେ ପାକିସ୍ତାନ ସହିତ ଲଢେଇରେ ବ୍ୟସ୍ତ ଥିଲା।

ମେଣ୍ଢାକୁ କଲା  ବାହାନା

ଚୀନ ଭାରତ ସରକାରଙ୍କୁ ପତ୍ର ଲେଖିଥିଲା। ଏଥିରେ ଭାରତୀୟ ସୈନିକ ତାର ୮୦୦ ମେଣ୍ଢା ଓ ୫୯ ଚମରୀ ଗାଈ ଚୋରି କରିଥିବା ଅଭିଯୋଗ କରିଥିଲା। ଭାରତ ସରକାର  ଚୀନର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ମାତ୍ର ଏହି ସମୟରେ ୪୨ ବର୍ଷୀୟ ଜନସଂଘର ନେତା ଅଟଳ ବିହାରୀ ବାଜପେୟୀ ଚୀନକୁ ଦୃଢ ଜବାବ ଦେଇଥିଲେ। ସେପ୍ଟେମ୍ବରରେ ବାଜପେୟୀ ୮୦୦ ମେଣ୍ଢା ଯୋଗାଡ କରି ଏହାକୁ ଧରି ନୂଆଦିଲ୍ଲୀ ସ୍ଥିତ ଚୀନ ଦୂତାବାସ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେ ମେଣ୍ଢାଙ୍କ ଉପରେ ଲାଗିଥିବା ବ୍ୟାନରରେ ଲେଖିଥିଲେ ଯେ, ‘ମୁଝେ ଖାଲୋ ଲେକିନ ଦୁନିଆକୁ ବଚାଓ’।

ଆପତ୍ତି ପ୍ରକାଶ କଲା ଚୀନ

ବାଜପେୟୀଙ୍କ ଏହି ବିରୋଧ ପ୍ରଦର୍ଶନକୁ ଚୀନକୁ ଭାରି ଅପମାନ ଲାଗିଥିଲା। ଉତ୍ତେଜିତ ଚୀନ ପୁଣି ଥରେ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କୁ ପତ୍ର ଲେଖି କଡା ଆପତ୍ତି ପ୍ରକାଶ କରିଥିଲା। ଚୀନ ଚିଠିରେ ଲେଖିଥିଲା ଯେ, ବାଜପେୟୀଙ୍କ ଦ୍ଵାରା ଏହି ପ୍ରଦର୍ଶନ ଚୀନ ଦେଶ ପ୍ରତି ଅପମାନ ଏବଂ ଅଭିଯୋଗ କରିଥିଲା ଯେ, ଏହାରି ପଛରେ ଶାସ୍ତ୍ରୀ ସରକାରଙ୍କ ହାତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.