ଗର୍ଜନ କରୁଛି ଡ୍ରାଗନ, ସେପଟେ ମାଷ୍ଟର ପ୍ଲାନ ପ୍ରସ୍ତୁତ କଲେ ସରକାର, ଚୀନ ବଳେ ବଳେ ବୁଝିଯିବ ଯେ ଏହା ୧୯୬୨ର ଭାରତ ନୁହେଁ

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨।୦୬: ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଭାରତ ଓ ଚୀନର ବିବାଦ ମଧ୍ୟରେ  ଭାରତ ଏକ ବଡ ନିଷ୍ପତ୍ତି ନେଇଛି। ଭାରତର ଏହି ନିଷ୍ପତ୍ତିରେ ଚୀନ ସ୍ପଷ୍ଟ ଭାବେ ବଳେ ବଳେ ବୁଝି ଯିବ ଯେ, ଏହା ୧୯୬୨ ସମୟର ଭାରତ ନୁହେଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚୀନ ସଂଲଗ୍ନ ସୀମାରେ ସଡକ ନିର୍ମାଣ କାମକୁ ଗତିଶୀଳ କରିବାକୁ ନିଷ୍ପତ୍ତି ନେଇଛି। ଗୃହ ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ସୀମା ପ୍ରବନ୍ଧନ ଅର୍ଥାତ ବର୍ଡର ମ୍ୟାନେଜମେଣ୍ଟର ସଚିବ ସଞ୍ଜୀବ କୁମାର ସୋମବାର ଗୋଟିଏ ସପ୍ତାହ ଭିତରେ ଦ୍ଵିତୀୟ ଥର ଏଲଏସି ସଂଲଗ୍ନ ଅଞ୍ଚଳରେ ଭିତ୍ତିଭୂମିର ବିକାଶକୁ ନେଇ ଜାରି ପ୍ରକଳ୍ପର ସମୀକ୍ଷା କରିଛନ୍ତି।

୩୨ ପ୍ରକଳ୍ପର କାମ ହେବ ଦ୍ରୁତ

ଅଧିକାରୀ କହିଛନ୍ତି, ଭାରତ-ଚୀନ ସୀମାରେ ମୌଳିକ ଭିତ୍ତିଭୂମିର ନିର୍ମାଣକୁ ଆହୁରି ଜୋରଦାର କରାଯିବ। ଏଥିରେ ୩୨ଟି ପ୍ରକଳ୍ପର କାମକୁ ଆହୁରି ଗତିଶୀଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗୃହ ମନ୍ତ୍ରଣାଳୟ ଦ୍ଵାରା ଆହୂତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ  କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ(CPWD), ସୀମା ସଡକ ସଂଗଠନ(BRO) ଓ ଭାରତ-ତିବ୍ବତ ସୀମା ପୋଲିସ(ITBP) ଭାଗ ନେଇଥିଲେ। ବୈଠକରେ ସାମିଲ ଜଣେ ଅଧିକାରୀ କହିଛନ୍ତି ଚୀନ ସହିତ ସୀମାରେ ୩୨ ସଡକ ପ୍ରକଳ୍ପ ଉପରେ କାମ କରାଯିବା। ଏଥିରେ ସମ୍ବନ୍ଧିତ ସମସ୍ତ ଏଜେନ୍ସି ପ୍ରକଳ୍ପର ଫାଷ୍ଟ ଟ୍ରାକ କରିବା ପାଇଁ ସହଯୋଗ କରିବେ। ଚୀନ-ଭାରତ ସୀମାରେ ମୋଟ୍ ୭୩ ସଡକର ନିର୍ମାଣ କରାଯାଉଛି। ଏଥିରେ ସିପିଡବ୍ଲ୍ୟୁ ୧୨ ଓ  ବିଆରଓ ଦ୍ଵାରା ୬୧ ସଡକ ନିର୍ମାଣ କରାଯିବ।

ଭାରତୀୟ ସେନା ଓ ଚୀନ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଗୃହ ମନ୍ତ୍ରଣାଳୟ ଏହି ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛି। ଅତି କମରେ ୩ ମହତ୍ଵପୂର୍ଣ୍ଣ ସଡକର ନିର୍ମାଣ ଲଦାଖରେ ବିଆରଓ ଦ୍ଵାରା କରାଯାଉଛି। ସଡକ ବ୍ୟତୀତ ବିଜୁଳି, ସ୍ଵାସ୍ଥ୍ୟ, ଦୂରସଞ୍ଚାର ଓ ଶିକ୍ଷା ପରି ଅନ୍ୟ ମୌଳିକ ବିକାଶ ସମ୍ବନ୍ଧିତ ପ୍ରକଳ୍ପକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି।

ଅଧିକାରୀ କହିଛନ୍ତି, ୨୦୧୭ ରୁ ୨୦୨୦ ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳରେ ୪୭୦ କିଲୋମିଟର ରାସ୍ତା  ନିର୍ମାଣ ପୂରା  ହୋଇ ସାରିଛି, ଯାହା ୨୦୦୮ ରୁ ୨୦୧୭ ମଧ୍ୟରେ କେବଳ ୨୩୦ କିଲୋମିଟର ରହିଥିଲା। ସେ କହିଛନ୍ତି, ୨୦୧୪-୨୦ ମଧ୍ୟରେ ୬ଟି ସୁଡଙ୍ଗର ନିର୍ମାଣ କରାଯାଇଥିବା ବେଳେ ୨୦୦୮ରୁ ୧୪ ମଧ୍ୟରେ କେବଳ ଗୋଟିଏ ସୁଡଙ୍ଗର ନିର୍ମାଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.