ଅଧାରେ ଅଟକିଛି ସୈନ୍ୟ ପ୍ରତ୍ୟାହାର, ଏକ ସପ୍ତାହ ହେଲା ବିବାଦୀୟ ଜାଗାରୁ ହଲୁନି ଚୀନ, ସେନା ସତର୍କ

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୦୭: ଭାରତ ଓ ଚୀନ ମଧ୍ୟରେ ଲଦାଖ ସୀମାରେ ଜାରି ବିବାଦ ଏ ପର୍ଯ୍ୟନ୍ତ ସୁଧୁରି ନାହିଁ। ଜୁଲାଇ ଆରମ୍ଭରେ ସୈନିକ ପଛକୁ ହଟିବା ଉପରେ ଯେଉଁ ସହମତି ପ୍ରକାଶ ପାଇଥିଲା, ତାହା କିଛି ମାତ୍ରାରେ ସଫଳ  ହୋଇଛି। କିନ୍ତୁ ଏବେ ମଧ୍ୟ ପାଙ୍ଗଙ୍ଗ ହ୍ରଦ ଓ ହଟ୍ ସ୍ପ୍ରିଙ୍ଗ ଏମିତି ଅଞ୍ଚଳ ରହିଛି, ଯେଉଁଠି ଦୁଇ ଦେଶର ସେନା ସାମ୍ନା ସାମ୍ନି ଅଛନ୍ତି। ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ଭାରତୀୟ ସେନା ସଂପୂର୍ଣ୍ଣ ସତର୍କ ଅଛନ୍ତି।

ମେ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦୁଇ ଦେଶର ସେନା ଉଦ୍ୟମ କରିଛନ୍ତି। ଆଲୋଚନାରେ ସ୍ଥିର ହୋଇଥିଲା ସମସ୍ତ ବିବାଦୀୟ ସ୍ଥଳରୁ ସେନା ପଛକୁ ହଟିବେ। ଜୁଲାଇ ୧୪ରେ ଶେଷ ଥର ଆଲୋଚନା ହୋଇଥିଲା। ମାତ୍ର ସେବେଠୁ ଆଜି ପର୍ଯ୍ୟନ୍ତ ସେନା କିଛି ମିଟର ପଛକୁ ହଟିଛନ୍ତି। ଅର୍ଥାତ ଆଲୋଚନାରେ ଯାହା ସ୍ଥିର ହୋଇଥିଲା ତାହା ଏପର୍ଯ୍ୟନ୍ତ କାର୍ଯ୍ୟରେ ପରିଣତ ହୋଇ ନାହିଁ। ଦୁଇ ପକ୍ଷରୁ ବଡ ସଂଖ୍ୟାରେ ସୈନିକ ସୀମାରେ ଡେରା ପକାଇଛନ୍ତି। ଏଥିରେ ପାଙ୍ଗଙ୍ଗ ହ୍ରଦ, ହଟ୍ ସ୍ପ୍ରିଙ୍ଗ ଇଲାକାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏଠାରେ ଚୀନ ସେନା ଫିଙ୍ଗର ୪ ରୁ ଫିଙ୍ଗର ୫ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି, ମାତ୍ର ଏବେ ମଧ୍ୟ ପାହାଡର ଶୀର୍ଷରେ ନିଜର ସ୍ଥିତି ମଜବୁତ କରିଛି।

ଅନ୍ୟପଟେ ହ୍ରଦର କୂଳରେ ଭାରତୀୟ ସେନା ଫିଙ୍ଗର ୨ ଓ ଫିଙ୍ଗର ୩ରେ ଡେରା ପକାଇଛନ୍ତି। ସୂତ୍ର ଅନୁଯାୟୀ ଫିଙ୍ଗର ୮ରୁ ଫିଙ୍ଗର ୪ ମଧ୍ୟରେ ଚୀନ ଯେଉଁ ଭିତ୍ତିଭୂମି ତିଆରି କରିଛି ତାହା ଭାଙ୍ଗିବା ମୁଡରେ ନାହିଁ। ହ୍ରଦ ନିକଟରେ ଉଭୟ ଦେଶର ସେନା ମଧ୍ୟରେ ଦୂରତା ୪-୫ କିମି ଥିଲେ ମଧ୍ୟ ପାହାଡି ଇଲାକାରେ ଏହି ଦୂରତା ୧ କିମି ରହିଛି।

ଏଥିରୁ ସ୍ପଷ୍ଟ ଜଣା ପଡିଛି ଗତ ଏକ ସପ୍ତାହରେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ବହୁତ ସମୟ ପୂର୍ବରୁ ଚୀନୀ ସେନା ଫିଙ୍ଗର ୪ ପର୍ଯ୍ୟନ୍ତ ଆସି ଯାଇଥିଲେ। କିନ୍ତୁ ଭାରତର ଦାବି ଆମର ଅଞ୍ଚଳ ଫିଙ୍ଗର ୮ ପର୍ଯ୍ୟନ୍ତ ବ୍ୟାପ୍ତ। ପ୍ରାୟ ୬୦୦ ରୁ ୮୦୦ ମିଟର ଦୂରତା ମଧ୍ୟରେ ଏବେ ମଧ୍ୟ ୪-୫୦ ଯବାନ ସ୍ଥିତି ଉପରେ ନଜର ରଖିଛନ୍ତି।

ଏହା ପୂର୍ବରୁ ରାଜିନାମା ଆଧାରରେ ଜୁନ ୧୫ରେ ଘଟିଥିବା ସଂଘର୍ଷ ସ୍ଥାନଠୁ ଚୀନ ୧.୫ କିମି ପର୍ଯ୍ୟନ୍ତ ପଛକୁ ହଟିଥିଲା। ଏହା ପରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଦୂରତା ୩ କିମି ରହିଥିଲା। ସ୍ଥିତିକୁ ଦେଖି ଭାରତୀୟ ସେନା ଲମ୍ବା ପ୍ରସ୍ତୁତି କରିଛନ୍ତି ଏବଂ ସତର୍କ ହୋଇ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.