ଶେଷରେ ମୁଣ୍ଡ ନୁଆଇଁଲା ଡ୍ରାଗନ, ପୂର୍ବ ଲଦାଖରେ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବାକୁ ହେଲା ରାଜି
10/07/2020 at 10:47 PM

ନୂଆଦିଲ୍ଲୀ ୧୦।୦୭: ଶେଷରେ ମୁଣ୍ଡ ନୁଆଇଁଲା ଡ୍ରାଗନ। କିଛି ଦିନ ପୂର୍ବେ ସାମରିକ ଶକ୍ତି ବଳରେ ନାଲି ଆଖି ଦେଖାଉଥିବା ଚୀନ୍ ଦେଇଛି ପଛଘୁଞ୍ଚା। ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ସୀମା ବିବାଦରେ ଶୁକ୍ରବାର ରାଜନୈତିକ ସ୍ତରର ବାର୍ତ୍ତା ଏବଂ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଶାନ୍ତି କାଏମ ପାଇଁ ଉତ୍ତେଜନା ଅଞ୍ଚଳରୁ ସଂପୂର୍ଣ୍ଣ ଭାବେ ସୈନିକଙ୍କୁ ହଟାଇବାକୁ ସହମତି ପ୍ରକାଶ ପାଇଛି। ଏହି ପରି ଲମ୍ବା ସମୟ ଧରି ବିବାଦକୁ ଟାଣିବାକୁ ଉଦ୍ୟମ ଚଳାଇଥିବା ଚୀନକୁ ଶେଷରେ ମୁଣ୍ଡ ନୁଆଁଇବାକୁ ପଡିଛି। ଭାରତୀୟ ଅଞ୍ଚଳକୁ କବ୍ଜା କରିବାକୁ ସ୍ଵପ୍ନ ଦେଖୁଥିବା ଚୀନକୁ ଭାରତରୁ ଦୃଢ ଜବାବ ମିଳିବାରୁ ଚୀନ ଏବେ ବଳେ ବଳେ ବୁଝି ଯାଇଛି ଯେ, ନିଜ ଜାଲରେ ସେ ନିଜେ ଫସି ଯାଇଛି। ତେଣୁ ଡ୍ରାଗନ ଏବେ ଶାନ୍ତି ଏବଂ ସଂଯମର ଭାଷା କହିବାରେ ଲାଗିଛି। ଏହି କାରଣରୁ ସେ ଭାରତ ସହିତ ପୁନଃ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରକ୍ରିୟାକୁ ଜୋରଦାର କରିଛି।
ଏହି କ୍ରମରେ ଚୀନ ଭାରତ ସହିତ ପୂର୍ବ ଲଦାଖରେ ଜାରି ସୀମା ବିବାଦ ପ୍ରସଙ୍ଗରେ ରାଜୈନିକସ୍ତରୀୟ ଆଲୋଚନା କରିଛି ଏବଂ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂପୂର୍ଣ୍ଣ ଭାବେ ଶାନ୍ତି ସ୍ଥାପନା ପାଇଁ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସୈନିକଙ୍କୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବା ନେଇ ସହମତି ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାର ସୂଚନା ଦେଇ କହିଛନ୍ତି ଯେ, ଭାରତ-ଚୀନ ସୀମା ପ୍ରସଙ୍ଗରେ ପରାମର୍ଶ ଓ ସମନ୍ଵୟ ପାଇଁ କାର୍ଯ୍ୟ ପ୍ରଣାଳୀ(WMCC)ର ରୂପରେଖା ଆଧାରରେ ଆଲୋଚନା ହୋଇଛି।

ଭିଡିଓ କନଫରେନ୍ସରେ ହୋଇଥିବା ଆଲୋଚନାରେ ଭାରତୀୟ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ(ପୂର୍ବ ଏସିଆ) ନେତୃତ୍ଵ ନେଇଥିବା ବେଳେ ଚୀନ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟ ସୀମା ଓ ସମୁଦ୍ର ବିଭାଗର ମହାନିର୍ଦ୍ଦେଶକ। ମନ୍ତ୍ରଣାଳୟ ଅନୁଯାୟୀ, ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥିତିର ସମୀକ୍ଷା କରାଯାଇଛି, ଯେଉଁଥିରେ ପଶ୍ଚିମି ଅଞ୍ଚଳରେ ଏଲଏସିରେ ଜାରି ସୈନିକଙ୍କ ପଛକୁ ହଟିବା ପ୍ରକ୍ରିୟା ମଧ୍ୟ ସାମିଲ। ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ଯେ, ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ହୋଇଥିବା ସହମତିକୁ ଗୁରୁତର ସହ ଲାଗୁ କରିବାର ଆବଶ୍ୟକତା ରହିଛି।
ଉଲ୍ଲେଖନୀୟ ଭାରତ ଓ ଚୀନ ସେନା ମଧ୍ୟରେ ପୂର୍ବ ଲଦାଖରେ ଗତ ପ୍ରାୟ ଦୁଇ ମାସ ହେବ ଅନେକ ସ୍ଥାନରେ ଗତିରୋଧ ଜାରି ରହିଥିଲା। ଗତ ମାସ ୧୫ ତାରିଖରେ ଗଲଓ୍ଵାନ ଉପତ୍ୟକାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ୍ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା। ଏହା ପରେ ଭାରତ ସାମରିକ, କୂଟନୈତିକ ଏବଂ ଆର୍ଥିକ ମୋର୍ଚ୍ଚାରେ ଚୀନକୁ ପ୍ରହାର କରିଥିଲା। ଶେଷରେ ଚୀନ ଆଲୋଚନା ଜରିଆରେ ବିବାଦର ସମାଧାନ ଲାଗି ରାଜି ହୋଇଥିଲା। ଏପରିକି ସୈନ୍ୟ ପ୍ରତ୍ୟାହାର ନେଇ ମଧ୍ୟ ସହମତି ପ୍ରକାଶ କରିଥିଲା।