ସ୍ପାଙ୍ଗଗୁର୍ ସୁଟିଂ ରେଞ୍ଜ୍ ମଧ୍ୟରେ ଭାରତ ଓ ଚୀନ ସେନା, ହାଇ ଆଲର୍ଟରେ ଭାରତୀୟ ଯବାନ
12/09/2020 at 10:08 PM

ନୂଆଦିଲ୍ଲୀ, ୧୨|୦୯ : ଚୀନ ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ସୋର ଦକ୍ଷିଣ ପ୍ରାନ୍ତ ସ୍ଥିତ ସ୍ପାଙ୍ଗଗୁରରେ ଚୀନ ହଜାର ହଜାର ସୈନିକଙ୍କ ସହ ଟ୍ୟାଙ୍କ୍, ଚୋପ ଆଦି ମୁତୟନ କରିଛି । ଚୀନ ସୈନିକମାନେ ଭାରତୀୟ ଯବାନଙ୍କ ରାଇଫଲ ରେଞ୍ଜ୍ ମଧ୍ୟରେ ମୁତୟନ ଅଛନ୍ତି । ଏହା ପରେ ଭାରତୀୟ ଯବାନ ମଧ୍ୟ ହାଇ ଆଲର୍ଟରେ ରହିଛନ୍ତି ।
ଭାରତୀୟ ଯବାନ ବାସ୍ତବିକ ନିୟନ୍ତ୍ରଣ ରେଖାର ଚୁଶୁଲ ନିକଟରେ ଥିବା ପ୍ୟାଙ୍ଗଙ୍ଗର ଗୁରୁତ୍ୱପୂର୍ଣ୍ଣ ପାହାଡରେ ନିଜ କ୍ୟାମ୍ପ ପ୍ରତିଷ୍ଠା କରିଛି । ଏହାପରେ ଚୀନର ପିପୁଲ୍ସ ଲିବରେସନ ଆର୍ମୀ ଅଗଷ୍ଟ ୩୦ରେ ସ୍ପେଙ୍ଗପୁରର ସୈନ୍ୟ ସଂଖ୍ୟା ବୃଦ୍ଧି କରିଥିଲା । ସେହିପରି ତିବ୍ବତ କ୍ଷେତ୍ରରେ ମଧ୍ୟ ଚୀନ କମାଣ୍ଡୋଙ୍କୁ ମୁତୟନ କରିଛି । ଏହି କମାଣ୍ଡୋମାନେ ପାହାଡିଆ ଅଞ୍ଚଳରେ ଯୁଦ୍ଧ, ମାର୍ସିଆଲ୍ ଆର୍ଟରେ ସିଦ୍ଧହସ୍ତ । ଭାରତୀୟ ଯବାନଙ୍କୁ ମଧ୍ୟ ଏହି କମାଣ୍ଡୋଙ୍କୁ ଅଟକାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଚୀନ ସେନା ଫିଙ୍ଗର ୪କୁ ମଧ୍ୟ କବଜା କରିବାକୁ ବସିଛି । ତେବେ ଭାରତ ଏହି ସବୁ ଅଞ୍ଚଳରେ ନିଜର ଦବଦବା ଜାହିର କରିବା ସହ ଚୀନକୁ କାଉଣ୍ଟର ଦେବାକୁ ପ୍ରସ୍ତୁତ ରହିଛି ।
ସୂଚନାଯୋଗ୍ୟ, ପ୍ୟାଙ୍ଗଙ୍ଗ ହ୍ରଦର କୂଳକୁ ୮ଟି ଫିଙ୍ଗର୍ସରେ ବିଭାଜିତ କରାଯାଇଛି । ଭାରତ ଫିଙ୍ଗର ୮କୁ ବାସ୍ତବିକ ନିୟନ୍ତ୍ରଣ ରେଖା ମାନିଥାଏ । ଫିଙ୍ଗର ୪ ଯାଏଁ ଭାରତର ସ୍ଥିତି ମଜବୁତ ରହିଛି । କିନ୍ତୁ ଚୀନ ଏଠାରେ ବେଆଇନ ଭାବେ ଜବରଦଖଲ କରିବା ସହ ଉତ୍ତେଜନା ବୃଦ୍ଧି କରିବାକୁ ପ୍ରୟାସ କରୁଛି ।
ପ୍ୟାଙ୍ଗଙ୍ଗ ହ୍ରଦର ଉତ୍ତର, ଦକ୍ଷିଣ ପ୍ରାନ୍ତରେ ଚୀନ ସେନାର ଗତିବିଧି ବୃଦ୍ଧି ପାଇଛି । ଏପରିକି ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରିଛି । ତେବେ ଉତ୍ତେଜନା କମ କରିବା ପାଇଁ ପ୍ରତିଦିନ ଚୀନ ଓ ଭାରତ ମଧ୍ୟରେ ଆଲୋଚନା ଜାରି ରହିଛି ।