ଦେଶରେ କରୋନା ଭାଙ୍ଗିଲା ସବୁ ରେକର୍ଡ, ଦୁଇ ଦିନରେ ୧୯,୦୦୦ ଲୋକ ସଂକ୍ରମିତ

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୭।୬: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ୪୮ ଘଣ୍ଟା ମଧ୍ୟରେ ଭାରତ ବିଶ୍ବର ଅଧିକ ପ୍ରଭାବିତ ଦେଶ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି । ଗତ ଗୋଟିଏ ଦିନରେ ଦେଶରେ ୯୯୭୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨.୪୭ ଲକ୍ଷକୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ଦୃଷ୍ଟିରୁ ସ୍ପେନକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନରେ ରହିଛି ।

ଭାରତରେ ୨୪୬୬୨୮ ଜଣ ସଂକ୍ରମିତ ହୋଇଥିବାବେଳେ ସ୍ପେନରେ ୨୪୧୩୧୦ ଜଣ ସଂକ୍ରମିତ ହୋଇଛନ୍ତି । କିନ୍ତୁ ସ୍ପେନରେ ମୃତ୍ୟୁ ସଂଖ୍ୟା ଭାରତ ଅପେକ୍ଷା ୪ ଗୁଣ ଅଧିକ। ଭାରତରେ ଏପର୍ଯ୍ୟନ୍ତ ୬୯୨୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ପେନରେ ୨୭୧୩୫ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୪୮ ଘଣ୍ଟା ମଧ୍ୟରେ ଦେଶରେ ମୋଟ୍ ୧୯୮୫୮ ଜଣ ସଂକ୍ରମିତ ହୋଇଛନ୍ତି ।

ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୯୯୭୧ ସଂକ୍ରମିତ ହୋଇଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪୬୬୨୮କୁ ବୃଦ୍ଧି ପାଇଛି । ସେହିଭଳି ୬୯୭ ଜଣଙ୍କ ମୃତ୍ୟୁ ସହ ମୋଟ୍ ମୃତ୍ୟୁ ସଂଖ୍ୟା ୬୯୨୯କୁ ବୃଦ୍ଧି ପାଇଛି। ଦେଶରେ ୧୨୦୪୦୬ ଆକ୍ଟିଭ୍ କରୋନା କେସ୍ ଥିବାବେଳେ ୧୧୯୨୯୩ ଲୋକ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି ।  

ବିଶ୍ବରେ କରୋନା ସଂକ୍ରମଣ ଦ୍ବାରା ପ୍ରଭାବିତ ଦେଶ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ଆମେରିକାରେ ୧୯୧୯୪୩୦ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଏହି ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୧୦୯୭୯୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ବ୍ରାଜିଲ (୬.୭୭ ଲକ୍ଷ), ଋଷ (୪.୫୯ ଲକ୍ଷ), ବ୍ରିଟେନ (୨.୮୫ ଲକ୍ଷ) ଏବଂ ଭାରତ (୨.୪୭ ଲକ୍ଷ) ରହିଛି । ସ୍ପେନ୍ ପରେ ଇଟାଲୀରେ ଏହି ମହାମାରୀ ଯୋଗୁଁ ୩୩.୮୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୨୩୪୮୦୧ ଲୋକ ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.