ଫାଇନାଲ୍‌ରେ ବାଂଲାଦେଶକୁ ହରାଇ ସପ୍ତମ ଥର ଏସିଆ କପ୍ ଜିତିଲା ଭାରତ

Published By : Prameya-News7 Bureau | September 29, 2018 IST

ଦୁବାଇ ୨୮|୯: ଏସିଆ କପ୍ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ୩ ୱିକେଟରେ ମାତ୍ ଦେଇ ୭ମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହୋଇଛି ରୋହିତ ବିଗ୍ରେଡ । ଶେଷ ବଲ୍ ପର୍ଯ୍ୟନ୍ତ ଖେଳର ରୋମାଞ୍ଚ ଲାଗି ରହିଥିବା ବେଳେ ଏକ ରନ୍ ନେଇ ଭାରତକୁ ବଡ ବିଜୟ ଦେଇଥିଲେ କେଦାର ଯାଦବ । ଭାରତୀୟ ମଧ୍ୟକ୍ରମ ବିଫଳ ହୋଇଥିଲେ ମଧ୍ୟ ଟେଲ ଏଣ୍ଡର ଭୁବନେଶ୍ବର କୁମାର ଓ ରବୀନ୍ଦ୍ର ଜାଡେଜାଙ୍କ ମ୍ୟାଚ୍ ବିଜୟୀ ଇନିଂସ ପାଇଁ ଦମଦାର ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ରବୀନ୍ଦ୍ର ଜାଡେଜାଙ୍କ ୨୩ ଓ ଭୁବନେଶ୍ବର କୁମାରଙ୍କ ୨୧ ରନ୍ ବଳରେ ଏହି ମ୍ୟାଚକୁ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତ । ଆଉ ଏହି ଦୁହିଁକ ଅଧୁରା ସ୍ବପ୍ନକୁ ପୁରା କରିଥିଲେ ଆଘାତପ୍ରାପ୍ତ କେଦାର ଯାଦବ । ଆଉ ଏହି ବିଜୟ ସହ ଲଗାତାର ଦ୍ବିତୀୟ ଥର ପାଇଁ ବାଂଲାଦେଶକୁ ଫାଇନାଲରେ ହରାଇଛି ଭାରତ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । କିନ୍ତୁ ରୋହିତଙ୍କ ଏହି ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲେ ବାଂଲାଦେଶର ପ୍ରାରମ୍ଭିକ ଯୋଡି । ପ୍ରଥମରୁ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିବା ସହ ଚାପ ପକାଇବାରେ ସକ୍ଷମ ହୋଇଥିଲେ ବାଂଲାଦେଶର ପ୍ରାରମ୍ଭିକ ଯୋଡି ଲିଟନ ଦାସ ଓ ମେହେଦି ହାସନ । ତେବେ ପ୍ରଥମ ୱିକେଟର ପତ୍ତନ ପରେ ବାଂଲାଦେଶର ବ୍ୟାଟିଂ ଲାଇନ ଅପ୍ ତାସ ଘର ପରି ଭୁଷୁଡି ପଡିଥିଲା । ଆଉ ୨୨୨ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ବାଂଲାଦେଶ ଟିମ୍ । ୨୨୩ ରନ୍ ର ଟାର୍ଗେଟ ପାଇଥିବା ଟିମ୍ ଇଣ୍ଡିଆର ଦୁଇ ଓପନର୍ ରୋହିତ ଶର୍ମା ଓ ଶିଖର ଧାୱନ୍ ଜବରଦସ୍ତ ଆରମ୍ଭ କରିଥିଲେ। ତେବେ କୌଣସି ଯୋଡି ନଜମିବା କାରଣରୁ ଶେଷ ଓଭର ଯାଏଁ ମ୍ୟାଚ୍ ଚାଲି ଯାଇଥିଲା । ଶେଷ ଓଭରରେ ବିଜୟ ପାଇଁ ୬ ରନ୍ ଦରକାର ଥିବାବେଳେ କେଦାର ଓ କୁଲଦୀପ ଦଳକୁ ବିଜୟୀ କରାଇବାରେ ସଫଳ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.