U19 ବିଶ୍ବକପ୍ : ଅଷ୍ଟ୍ରେଲିଆକୁ ୭୪ରନ୍‌ରେ ହରାଇ ସେମିରେ ଭାରତ

Published By : Prameya-News7 Bureau | January 29, 2020 IST

ମୁମ୍ବାଇ ୨୯।୧: ଅଣ୍ଡର ୧୯ ବିଶ୍ବକପ୍ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୭୪ ରନ୍ ରେ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ଓ୍ବିକେଟ୍ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ୨୩୩ ରନ୍ କରିଥିଲା । ଭାରତ ଦେଇଥିବା ଟାର୍ଗେଟ କୁ ପିଛାକରି ଅଷ୍ଟ୍ରେଲିଆ ଟିମ୍ ମାତ୍ର ୪୩.୩ ଓଭରରେ ୧୫୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଭାରତୀୟ ଓପନର ଜୈସ୍ୱାଲ ଓ ଦିବ୍ୟାଂଶ ସାକ୍‌ସେନା ପ୍ରଥମେ ବ୍ୟାଟିଂ କରିଥିଲେ । ୩୫ରନ୍‌ରେ ଦଳର ପ୍ରଥମ ୱିକେଟ୍‌ ହରାଇଥିଲା । ଦିବ୍ୟାଂଶ ୧୪ରନ୍‌ କରି ଆଉଟ୍‌ ହେବା ପରେ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ପରବର୍ତ୍ତୀ ୧୯ରନ୍‌ ମଧ୍ୟରେ ତିଲକ ବର୍ମା ୨ରନ୍ ଓ ଅଧିନାୟକ ପ୍ରିୟମ ଗର୍ଗ ୫ରନ୍ କରି ପାଭିଲିୟନ ଫେରିଥିଲେ । ଜୈସ୍ୱାଲ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୮୨ବଲ୍ ରୁ ୬ଟିଚୌକା ଏବଂ ୨ଟି ଛକା ମାରି ୬୨ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଏହାପରେ ଧ୍ରୁବ ଜୁରେଲ ୧୫ ଓ ସିଦ୍ଧାର୍ଥ ବୀର ୨୫ରନ୍‌ ଯୋଗ କରିଥିଲେ । ୧୪୪ରନ୍‌ ମଧ୍ୟରେ ଭାରତ ୬ ୱିକେଟ୍‌ ହରାଇ ସାରିଥିଲା । ତେବେ ଅଥର୍ବ ୫୪ବଲ୍‌ ରୁ ୫ଟି ଚୌକା ଏବଂ ୧ଟି ଛକା ସହାୟତାରେ ୫୫ ଓ ରବି ବିଷ୍ନୋଇଙ୍କ ୩୦ରନ୍‌ ବଳରେ ଭାରତର ସ୍କୋର ୯/୨୩୩ରେ ପହଞ୍ଚିଥିଲା ।

୨୩୪ରନ୍‌ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୧୭ରନ୍‌ ମଧ୍ୟରେ ଅଷ୍ଟ୍ରେଲିଆ ୪ଟି ୱିକେଟ୍‌ ହରାଇଥିଲା । ୪୧ ଓଭର ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର ୬/୧୪୯ ରନ୍ ରହିଥିଲା । ୪୨ତମ ଓଭରରେ ଭାରତୀୟ ବୋଲର ଆକାଶ କ୍ରଗାମତ ୩ଟି ବଲ୍‌ରେ ୩ଟି ୱିକେଟ୍‌ ନେଇ ଅଷ୍ଟ୍ରେଲିଆ ପରାଜୟର ଅନ୍ୟତମ କାରଣ ସାଜିଥିଲେ । ଫଳରେ ଦଳ ୧୫୯ରନ୍‌ରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ତ୍ୟାଗି ୪ଟି, ଆକାଶ ୩ଟି ଓ ବିଷ୍ନୋଇ ଗୋଟିଏ ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.