ବ୍ୟାଟସମ୍ୟାନ୍ ଫେଲ୍ ମାରିବା ପରେ ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଲେ ବୁମରାହ ଓ ଅଶ୍ୱିନ

Published By : Prameya-News7 Bureau | December 18, 2020 IST

ଆଡିଲେଡ, ୧୮|୧୨ : ଭାରତୀୟ ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ବିଫଳ ହେବା ପରେ ବୋଲରମାନେ କିନ୍ତୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତୀୟ ସ୍ପିନର ଆର ଅଶ୍ୱିନ ତିନୋଟି ଓ୍ୱିକେଟ୍ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା । ତେବେ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ସ୍ଥିତି ସୁଧାରିବା ପରେ ଦଳ ସମ୍ମାନଜନକ ସ୍କୋରରେ ପହଁଚିଥିଲା । ତେବେ ଖେଳର ଦ୍ୱିତୀୟ ଦିନରେ ୬ ଓ୍ୱିକେଟ ହରାଇ ୨୩୩ ରନରୁ ଆରମ୍ଭ କରିଥିବା ଦଳ ୨୪୪ରେ ହିଁ ଅଟକି ଯାଇଥିଲା । କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଏକ ସମ୍ମାନଜନତ ସ୍ଥିତିରେ ପହଞ୍ଚିଥିଲା ଭାରତ । ଅଧିନାୟକ ବିରାଟ କୋହଲି (୭୪ରନ୍) ଅର୍ଦ୍ଧ ଶତକୀୟ ଇଂନିସ୍ ଖେଳି ଆଉଟ ହୋଇଥିଲେ । କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ୮୮ ରନର ପାର୍ଟନରସିପ୍‌ ହୋଇଥିଲା ।

ଏହା ବାଦ ଚେତେଶ୍ବର ପୂଜାରାଙ୍କ ଉପଯୋଗୀ ୪୩ ରନ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛି । ସେହିପରି ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ୪୨ ରନ କରିଥିଲେ ।ଦ୍ୱିତୀୟ ଦିନରେ ରିଦ୍ଧିମାନ ଶାହା ୯ ଏବଂ ରବିଚନ୍ଧ୍ରନ୍ ଅଶ୍ବିନ ୧୫ ରନରୁ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ସେତେ କିଛି ଖାସ୍ କରିପାରିନଥିଲେ । ଉଭୟ ସେତିକି ରନରେ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବ ୬ ଓ ଜସପ୍ରିତ ବୁମରାହ ୪ ରନ୍ କରିଥିଲେ ।ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୩ଟି ଓ ଜୋସ୍ ହାଜେଲଉଡ୍ ଏବଂ ନାଥନ ଲାୟନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

ଏହାପରେ ଅଷ୍ଟ୍ରେଲିଆ ବ୍ୟାଟିଂ ପାଇଁ ଓହ୍ଲାଇଥିଲା । କିନ୍ତୁ ଦଳକୁ ୧୬ ରନରେ ପ୍ରଥମ ଝଟକା ଲାଗିଥିଲା । ଏମ ଓ୍ୱାଡେ ଓ ଜୟ ବର୍ଣ୍ଣସ୍ ସଅଳ ଓ୍ୱିକେଟ୍ ହରାଇଥିଲେ । ଉଭୟଙ୍କୁ ବୁମରାହ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ଏହାପରେ ଅଶ୍ୱିନଙ୍କ ସ୍ପିନ ଯାଦୁ କାମ କରିଥିଲେ । ସେ ଷ୍ଟିଭ୍ ସ୍ମିଥ, ଟ୍ରଭିସ୍ ହେଡ୍ ଓ କ୍ୟାମରୁନ୍ ଗ୍ରୀନଙ୍କୁ ଆଉଟ୍ କରିଥିଲେ । ତେବେ ମାର୍ନସ୍ ଲାବୁସନ ଏବେ ୪୭ ରନରେ ବ୍ୟାଟିଂ କରୁଛନ୍ତି । ଦଳର ସ୍କୋର ଏବେସୁଦ୍ଧା ୫ ଓ୍ୱିକେଟ ବିନିମୟରେ  ୧୦୩ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.