ଆଡିଲେଡ୍ ଦିବାରାତ୍ର ଟେଷ୍ଟ : ପ୍ରଥମ ଇନିଂସରେ ଭାରତ ୨୪୪ ରନ୍‌ରେ ଅଲଆଉଟ୍

Published By : Prameya-News7 Bureau | December 18, 2020 IST

ଆଡିଲେଡ,୧୮/୧୨:    ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ବିରାଟ ବାହିନୀ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା । ତେବେ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ସ୍ଥିତି ସୁଧାରିବା ପରେ ଦଳ ସମ୍ମାନଜନକ ସ୍କୋରରେ ପହଁଚିଥିଲା । ତେବେ ଖେଳର ଦ୍ୱିତୀୟ ଦିନରେ ୬ ଓ୍ୱିକେଟ ହରାଇ ୨୩୩ ରନରୁ ଆରମ୍ଭ କରିଥିବା ଦଳ ୨୪୪ରେ ହିଁ ଅଟକି ଯାଇଥିଲା ।

ପିଙ୍କ୍ ବଲରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ମ୍ୟାଚ୍ ଜାରି ରହିଛି । ପ୍ରଥମ ଦିନ ଉଭୟ ଟିମ ପ୍ରାୟତଃ ସମାନ ପ୍ରଦର୍ଶନ କରିଥିଲେ । ଧିମା ଆରମ୍ଭ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ୨୩୩/୬ ରନ କରିଥିଲା । କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଏକ ସମ୍ମାନଜନତ ସ୍ଥିତିରେ ପହଞ୍ଚିଥିଲା ଭାରତ । ଅଧିନାୟକ ବିରାଟ କୋହଲି (୭୪ରନ୍) ଅର୍ଦ୍ଧ ଶତକୀୟ ଇଂନିସ୍ ଖେଳି ଆଉଟ ହୋଇଥିଲେ । କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ୮୮ ରନର ପାର୍ଟନରସିପ୍‌ ହୋଇଥିଲା ।

ଏହା ବାଦ ଚେତେଶ୍ବର ପୂଜାରାଙ୍କ ଉପଯୋଗୀ ୪୩ ରନ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛି । ସେହିପରି ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ୪୨ ରନ କରିଥିଲେ ।ଦ୍ୱିତୀୟ ଦିନରେ ରିଦ୍ଧିମାନ ଶାହା ୯ ଏବଂ ରବିଚନ୍ଧ୍ରନ୍ ଅଶ୍ବିନ ୧୫ ରନରୁ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ସେତେ କିଛି ଖାସ୍ କରିପାରିନଥିଲେ । ଉଭୟ ସେତିକି ରନରେ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବ ୬ ଓ ଜସପ୍ରିତ ବୁମରାହ ୪ ରନ୍ କରିଥିଲେ ।

ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୩ଟି ଓ ଜୋସ୍ ହାଜେଲଉଡ୍ ଏବଂ ନାଥନ ଲାୟନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.