ଆଡିଲେଡ୍ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ, ୮ ଓ୍ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | December 19, 2020 IST

ଆଡିଲେଡ, ୧୯|୧୨ :  ଆଡିଲେଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ କଙ୍ଗାରୁ ୮ ଓ୍ୱିକେଟରେ ବିଜୟ ଲାଭ କରିଛି । ଭାରତ ଦେଇଥିବା ୯୦ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ମାତ୍ର ୨ ଓ୍ୱିକେଟ ହରାଇ ହାସଲ କରିନେଇଛି । ଏହାସହ ଭାରତ ଶୋଚନୀୟ ପରାଜୟବରଣ କରିଛି ।

ଦ୍ଵିତୀୟ ଦିନର ପ୍ରଥମ ସେସନରେ ଭାରତ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। କଙ୍ଗାରୁ ଦଳ ୧୯୧ ରନରେ ଅଲଆଉଟ୍  ହେବା ସହ ଭାରତଠୁ ପ୍ରଥମ ଇନିଂସରେ ୫୩ ରନରେ ପଛୁଆ ରହିଥିଲା। ଅଧିନାୟକ ଟିମ୍ ପେନ ୯୯ ବଲରୁ ୧୦ ଚୌକା ସହ ୭୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ରବି ଚନ୍ଦ୍ରନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଯଶପ୍ରୀତ ବୁମରା ଦୁଇଟି  ଓ୍ଵିକେଟ୍ ନେଇଥିଲେ। 

ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ ଫେଲ୍ ମାରିଥିଲେ । ଦଳ ମାତ୍ର ୩୬ ରନରେ ଅଟକି ଯାଇଛି। ଦଳର କୌଣସି ବ୍ୟାଟସମ୍ୟାନ୍ ୨ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆର ବୋଲିଂ ଆଗରେ ସେମାନେ ଆତ୍ମସମର୍ପଣ କରିଥିଲେ । ପ୍ରଥମେ ପୃଥ୍ୱୀ ଶ ୪ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଜସପ୍ରିତ ବୁମରାହ ୨ ରନ୍, ମୟଙ୍କ ଅଗ୍ରଓ୍ୱାଲ ୯ ରନ, ଚେତେଶ୍ୱର ପୂଜାରା ୦, ବିରାଟ କୋହଲି ୪, ଆଜିଙ୍କ୍ୟ ରାହାଣେ ୦, ହନୁମା ବିହାରୀ ୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିପରି  ଓ୍ୱାଶିଂଟନ ସୁନ୍ଦର ୪, ଅଶ୍ୱିନ ୦ ରନରେ ଆଉଟ୍ ହୋଇଥିଲେ ।  ସେହିପରି ମହମ୍ମଦ ସାମି ରିଟାୟର ହର୍ଟ ହୋଇଥିଲେ । ଏପରି ଭାବେ ଭାରତ ଅଷ୍ଟ୍ରେଲିଆକୁ ୯୦ ରନର ଟାର୍ଗେଟ ଦେଇଥିଲା ।ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜେଲଉଡ୍ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୪ଟି ଓ୍ୱିକେଟ୍ ନେଇଥିଲେ ।

ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ମାତ୍ର ୨ ଓ୍ୱିକେଟ ହରାଇ ପ୍ରଥମ ଟେଷ୍ଟ୍ ଜିତିଛି । ଦଳ ପକ୍ଷରୁ ଜୋଏ ବର୍ଣ୍ଣସ ସର୍ବାଧିକ ୫୧ ରନ୍ କରିଥିବା ବେଳେ ମାଥ୍ୟୁ ଓ୍ୱାଡେ ୩୩, ମାମ୍ୟୁସ ଲାବୁସେନ ୬ ରନ୍ କରିଥିଲେ । ଏହି ବିଜୟ ସହ ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଆଗୁଆ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.