ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ, ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
29/11/2020 at 9:07 AM

ସିଡନୀ ୨୯।୧୧: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜି ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖିବ ବିରାଟ ବାହିନୀ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚ୍ ଟସ୍ ଜିତି ଭାରତକୁ ଫିଲ୍ଡିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ଭାରତ ।
ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଖେଳିବ ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ସଦୃଶ । ସେପଟେ ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି । ଦ୍ୱିତୀୟ ଦିନିକିଆ ଭାରତୀୟ ସମୟାନୁସାରେ ସକାଳ ୯ଟା ୩୦ ଖେଳାଯିବ ।
ଭାରତୀୟ କ୍ରିକେଟ୍ ଟିମ୍ ସିଡନୀରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲା। ଫଳସ୍ଵରୂପ ଦଳ ୬୬ ରନରେ ପରାଜିତ ହୋଇଥିଲା। ଏବେ ଭାରତ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଦ୍ଵିତୀୟ ଦିନିକିଆ ଜିତିବାକୁ ପଡିବ। ଦ୍ଵିତୀୟ ଦିନିକିଆ ମଧ୍ୟ ସିଡନୀରେ ଖେଳାଯିବ। ପ୍ରଥମ ଦିନିକିଆରେ ଦଳ ଷଷ୍ଠ ବୋଲରଙ୍କ ଅନୁପସ୍ଥିତି ଅନୁଭବ କରିଛି। ଯାହାର ଫାଇଦା ଉଠାଇଥିଲେ କଙ୍ଗାରୁ ବ୍ୟାଟସମ୍ୟାନ।
ଭାରତୀୟ ବ୍ୟାଟିଂ ବିଭାଗରେ ପରିବର୍ତ୍ତନ ହେବାର ଆଶା ନାହିଁ । ତଥାପି ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଓପନର ଭାବେ ସୁଯୋଗ ଦେବାକୁ ଟିମ୍ ମ୍ୟାନେଜେମେଣ୍ଟ ଚିନ୍ତା କରିବା ଆବଶ୍ୟକ । ସେ ବର୍ତ୍ତମାନ ଫର୍ମରେ ରହିଛନ୍ତି । ସେମିତି ଦେଖିବାକୁ ଗଲେ ମୟଙ୍କ ଟେଷ୍ଟ ସିରିଜ୍ରେ ଓପନିଂ କରିବା ସୁନିଶ୍ଚିତ । ତେଣୁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେବାର ସମୟ ଆସିଛି କହିଲେ ଭୁଲ ହେବ ନାହିଁ। ମଧ୍ୟକ୍ରମରେ କୌଣସି ପରିବର୍ତ୍ତନର ସମ୍ଭାବନା କମ୍ ରହିଛି । ନବଦୀପ ସାଇନିଙ୍କ ସ୍ଥାନରେ ଟି ନଟରାଜନଙ୍କୁ ଖେଳାଇବା ସଠିକ୍ ନିଷ୍ପତ୍ତି ହୋଇପାରେ । ଏହି ଯୁବ ବାମ ହାତି ପେସ୍ ବୋଲର ୟର୍କର ପକାଇବାରେ ସିଦ୍ଧହସ୍ତ। ତେଣୁ ତାଙ୍କୁ ଏକ ସୁଯୋଗ ମିଳିବା ଆଶା କରାଯାଉଛି ।