ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ, ପୁଣି ଥରେ ବ୍ରେକ୍ ଦେଲେ ଭାରତୀୟ ବୋଲର, ଟିମ୍ କଙ୍ଗାରୁ ୧୧୦/୬

Published By : Prameya-News7 Bureau | December 28, 2020 IST

ମେଲବର୍ଣ୍ଣ,୨୮/୧୨: ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଏବେସୁଦ୍ଧା ୬ ଓ୍ୱିକେଟ୍ ହରାଇ ୧୧୦ ରନ୍ କରିଛି ।

ଭାରତ ପ୍ରଥମ ଇନିଂସରେ ଭଲ ପ୍ରଦର୍ଶନ କରିଥିଲା । ଭାରତୀୟ ବ୍ୟାଟସମ୍ୟାନ୍ ଆଜିଙ୍କ୍ୟ ରାହାଣେଙ୍କ ଶତକ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଧଶତକ ବଳରେ ଦଳ ୩୨୬ ରନ୍ କରିଥିଲା । ଏହାସହ ଅଷ୍ଟ୍ରେଲିଆଠାରୁ ୧୩୧ ରନରେ ଆଗୁଆ ରହିଥିଲେ ।

ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ଷ୍ଟାଡିୟମକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍‌କୁ ଆରମ୍ଭରୁ ଝଟକା ଲାଗିଥିଲା। ସ୍କୋର ୪ ରନ୍ ଥିବା ବେଳେ ଜୋ ବର୍ଣ୍ଣସ୍ ଆଉଟ ହୋଇଥିଲେ । ସେହିପରି ଏମ ଲାବୁସେନ ୨୮ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ଓ୍ୱାଡେ ୪୦, ଷ୍ଟିଭ୍ ସ୍ମିଥ୍ ୮, ଟ୍ରାଭିସ୍ ହେଡ୍ ୧୭ ଓ ଟିମ୍ ପେନ୍ ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏବେ କ୍ରିଜରେ କ୍ୟାମରନ୍ ଗ୍ରୀନ ୪ ଓ ପ୍ୟାଟ୍ କ୍ୟୁମିନ୍ସ ୬ ରନରେ ବ୍ୟାଟିଂ କରୁଛନ୍ତି ।

ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ରବିନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମରାହ, ଉମେଶ ଯାଦବ, ମହମ୍ମଦ ସିରାଜ ଓ ଆର ଅଶ୍ୱିନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.