ପରାଜୟ ପରେ ନରମିଲେ ଅଷ୍ଟ୍ରେଲୀୟ କୋଚ୍‌: କହିଲେ- ‘ଭାରତୀୟଙ୍କୁ କମ ଭାବନି, କେବଳ ୧୧ ଜଣଙ୍କ ସହ ମୁକାବିଲା କରିବା ମୁସ୍‌କିଲ’

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯/୦୧:  ୩୬ ରନ୍‌ ଆଉ ୩୨ ବର୍ଷ ଭୟ ଉପରେ ବିଜୟ ପ୍ରାପ୍ତ କରିଛି ଟିମ୍‌ ଇଣ୍ଡିଆ। ବ୍ରିସବେନ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହା ସହିତ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ମଇଦାନରେ ଅଷ୍ଟ୍ରେଲିଆ ମାତ ଦେଇଛି ଭାରତ । ଏହା ସହିତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜକୁ ୨-୧ରେ ଜିତି ଭାରତ ଐତିହାସିକ ବିଜୟ ହାସଲ କରିଛି । ଋଷଭ ପନ୍ତ, ଶୁଭମାନ ଗିଲ ଏବଂ ଚେତେଶ୍ବର ପୂଜାରାଙ୍କ ଦମଦାର ଇନିଂସ ଟିମ୍ ଇଣ୍ଡିଆକୁ ଏହି ବହୁ ପ୍ରତିକ୍ଷିତ ବିଜୟ ଭେଟି ଦେଇଛି ।

ତେବେ ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ ପରେ ବିଶ୍ବରେ ଏବେ ଭାରତୀୟଙ୍କୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଓ ସିରିଜ୍‌ କବଜା ପରେ ଅଷ୍ଟ୍ରେଲୀୟ କୋଚ୍‌ ଜଷ୍ଟିନ୍‌ ଲ୍ୟାଙ୍ଗର  ନରମି ଯାଇଛନ୍ତି । ଏହାସହ ଭାରତୀୟ ଖେଳାଳିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଟିମ୍‌ ଇଣ୍ଡିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନିନ୍ଦନୀୟ ପରାଜୟ ବରଣ କରିବା ପରେ ପରବର୍ତ୍ତୀ ମ୍ୟାଚ୍‌ରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲା। କେବଳ ଭଲ ଫର୍ମକୁ ନୁହେଁ ବରଂ ସିରିଜ୍‌ ନିଜ ନାଁରେ କରିନେଲା। ଟିମ୍‌ ଇଣ୍ଡିଆର ଶକ୍ତିକୁ ଦେଖି ଲ୍ୟାଙ୍ଗର ଚ୍ୟାନେଲ ୭କୁ ପ୍ରତିକ୍ରିୟାରେ କହିଛନ୍ତି ‘କେବେ ଭାରତୀୟଙ୍କୁ କମ ଭାବନାହିଁ। ଭାରତର ଦେଢ଼ ଶହ କୋଟି ଲୋକସଂଖ୍ୟା କିନ୍ତୁ ସେଥିରୁ କେବଳ ୧୧ ଜଣ ଖେଳୁଛନ୍ତି। ତଥାପି ତାଙ୍କ ସହ ମୁକାବିଲା କରିବା କଷ୍ଟ।’

ଗାବାରେ ଅଷ୍ଟ୍ରେଲିଆ ୩୨ ବର୍ଷ ହେଲା ଜିତି ଆସୁଥିଲା। କିନ୍ତୁ ଏହି ବିଜୟ ଧାରାରେ ବ୍ରେକ୍‌ ଲଗାଇଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ପ୍ରଥମ ଥର ୧୯୮୮ରେ ଗାବା ମଇଦାନରେ ଓ୍ବେଷ୍ଟଇଣ୍ଡିଜ୍‌ ପାଖରୁ ପରାଜୟ ବରଣ କରିଥିଲା। ତା ପରଠୁ ଅଷ୍ଟ୍ରେଲିଆ କେବେ ବି ଏଠା​‌ରେ ହାରିନଥିଲା। ଭାରତୀୟ ଟିମ୍‌ ପାଖରୁ ହାରିବା ପରେ ଏବେ ଅଷ୍ଟ୍ରେଲିଆ ନିଜର ସମୀକ୍ଷା କରିବାର ବେଳ ଆସିଛି। ତେବେ ଟିମ୍‌ ଇଣ୍ଡିଆ  ବିଶ୍ବ ଟେଷ୍ଟ ଚାମ୍ପିୟନ୍‌ସିପ୍‌ରେ ଶୀର୍ଷ ସ୍ଥାନରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସିଆସିଛି।

ଭାରତୀୟ ଟିମ୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆଡିଲେଡ୍‌ରେ ଖେଳିଥିଲା। ଯେଉଁଥିରେ ଦ୍ବିତୀୟ ପାଳିରେ ୩୬ ରନ୍‌ରେ ଅଟକି ଯାଇଥିଲା ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ଜିତିଥିଲା। ବାସ ଏହା ପରେ ଅନେକ ପୂର୍ବତନ ଖେଳାଳି ସିରିଜ୍‌କୁ ନେଇ ଭବଷ୍ୟବାଣୀ କରିଥିଲେ। ଟିମ୍‌ ଇଣ୍ଡିଆ ୦-୪ରେ ସିରିଜ୍‌ ହାରିଯିବ ବୋଲି ମଧ୍ୟ କହିଥିଲେ। ଆଡିଲେଟ୍‌ ଟେଷ୍ଟ ମ୍ୟାଚ୍‌ ପରେ ବିରାଟ କୋହଲି ମଧ୍ୟ ଭାରତ ଫେରିଆସିଥିଲେ। ବାକି ମ୍ୟାଚ୍‌​‌ରେ ଅଜିଙ୍କ୍ୟା ରାହାଣେ ଟିମ୍‌ର ଅଧିନାୟକ ଦାୟିତ୍ବ ତୁଲାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.