ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍, ପିଙ୍କ୍ ବଲରେ ଖେଳାଯିବ ମ୍ୟାଚ୍

Published By : Prameya-News7 Bureau | December 17, 2020 IST

ନୂଆଦିଲ୍ଲୀ ୧୭/୧୨ : ଗୁରୁବାର ଆରମ୍ଭ ହେବ ଆଡିଲେଡ୍ ଟେଷ୍ଟ। ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।  ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳ ଅଷ୍ଟ୍ରେଲିଆ କ୍ରିକେଟରେ ଗୋଲାପୀ ବଲକୁ ଚ୍ୟାଲେଞ୍ଜ ଦେବେ । 

ଆଡିଲେଡ୍ ଟେଷ୍ଟ ପାଇଁ ଭାରତର ପ୍ଲେଇଂ ଇଲେଭେନ ଟିମରେ ପୃଥ୍ବୀ ଶ ଏବଂ ରିଦ୍ଧିମାନ ସାହା ସ୍ଥାନ ପାଇଛନ୍ତି।ପ୍ରଥମ ଟେଷ୍ଟ ପୂର୍ବରୁ ଉଭୟ ଦଳକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି। ବିଶେଷ କରି ଉଭୟ ଦଳର ଓପନରଙ୍କ ଉପରେ ସମସ୍ତଙ୍କ ନଜର ରହିବ। କିନ୍ତୁ  ଜାତୀୟ କ୍ରିକେଟ୍‌ ଏକାଡେମୀରେ ଫିଟ୍‌ ଘୋଷିତ ହୋଇଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇ ନାହାନ୍ତି। ଫଳରେ ତାଙ୍କ ସ୍ଥାନରେ ପୃଥ୍ୱୀ ଶ’ ଓପନର ଦାୟିତ୍ୱ ତୁଲାଇବେ। ସେ ଫର୍ମରେ ନାହାନ୍ତି। ବାରମ୍ବାର ବେପାରୁଆ ସଟ୍‌ ମାନ ଖେଳି ଆଉଟ୍‌ ହେଉଛନ୍ତି। ଠିକ ସେହିପରି ଅଷ୍ଟ୍ରେଲିଆ ମଧ୍ୟ ପ୍ରମୁଖ ଓପନରଙ୍କ ବିନା ଗ୍ରାଉଣ୍ଡକୁ ଓହ୍ଲାଇବ । ଡେଭିଡ ୱାର୍ଣ୍ଣର ଆହତ ଥିବାବେଳେ ମୁଣ୍ଡରେ ବଲ୍‌ ବାଜି ଆହତ ହୋଇଥିବା ନବାଗତ ୱିଲ ପୁକୋସ୍କି ଫିଟ୍‌ ଘୋଷିତ ହୋଇ ନାହାନ୍ତି । ଆଜିର ମ୍ୟାଚ୍‌ରେ ଜୋ ବର୍ଣ୍ଣସ ଓ ମାଥ୍ୟୁ ୱେଡ୍‌ ଓପନ କରିବା ନିଶ୍ଚିତ ବୋଲି ଜଣାପଡିଛି ।

ଶକ୍ତି ଓ ଦୁର୍ବଳତାକୁ ଦେଖିଲେ ଉଭୟ ଦଳ ମଧ୍ୟରେ ବିଶେଷ ଫରକ ନାହିଁ। ଉଭୟ ଦଳର ମଧ୍ୟଭାଗ ବେଶ୍‌ ସୁଦୃଢ। ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ମଧ୍ୟଭାଗ ସମ୍ଭାଳିବେ। ସେହିପରି ଷ୍ଟିଭେନ ସ୍ମିଥ୍‌, ମାର୍ନସ ଲାବୁସାନ ଓ ଟ୍ରେଭିସ୍‌ ହେଡ୍‌ ଅଷ୍ଟ୍ରେଲିଆ ଦଳର ମଧ୍ୟଭାଗ ଦାୟିତ୍ୱ ସୂଚାର ରୂପେ ତୁଲାଇବେ ।

ରେକର୍ଡଅଷ୍ଟ୍ରେଲିଆ ଇତି ମଧ୍ୟରେ ୮ଟି ଦିବା/ରାତ୍ର ଟେଷ୍ଟ ଖେଳି ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ଭାରତ ଏପର୍ଯ୍ୟନ୍ତ ଗୋଟିଏ ଦିବା/ରାତ୍ର ଟେଷ୍ଟ ଖେଳିଛି। ୨୦୧୯ରେ ବାଂଲାଦେଶ ବିପକ୍ଷରେ ଇଡେନ ଗାର୍ଡେନରେ ଦିବା/ରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ।

ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ମୋଟ୍‌ ୪ଟି ଦିବା/ରାତ୍ର ଟେଷ୍ଟ ଖେଳିଛି। ୨୦୧୫ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩ ୱିକେଟ୍‌ରେ ହରାଇଥିଲା। ଏହାପରେ ୨୦୧୬ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‌ରେ , ୨୦୧୭ରେ ଆଡିଲେଡ୍‌ ଗ୍ରାଉଣ୍ଡ୍‌ରେ ଇଂଲଣ୍ଡକୁ ୧୨୦ ରନ୍‌ ଓ ୨୦୧୯ରେ ପାକିସ୍ତାନକୁ ଇନିଂସ ଓ ୪୮ ରନ୍‌ରେ ମାତ୍ ଦେଇଥିଲା। ଦିବା/ରାତ୍ର ଟେଷ୍ଟରେ ଅଭିଜ୍ଞ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ରହିଛି । ସେ ୭ଟି ଦିବା/ରାତ୍ର ଟେଷ୍ଟ ଖେଳି ମୋଟ୍‌ ୪୨ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି। ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ବର୍ଷା ସମ୍ଭାବନା ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.