ବ୍ରିସବେନ୍ ଟେଷ୍ଟ୍ : ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ୍, ୩୨୮ ରନ୍ କଲେ ସିରିଜ୍ ଜିତିବ ଭାରତ
18/01/2021 at 11:55 AM

ବ୍ରିସବେନ୍,୧୮/୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ୨୯୪ ରନରେ ଅଲଆଉଟ୍ ହୋଇଯାଇଛି । ଏହାସହ ଭାରତକୁ ବିଜୟ ପାଇଁ ୩୨୮ ରନ୍ର ଟାର୍ଗେଟ୍ ଦେଇଛି ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍ରେ ଅଲ୍ଆଉଟ୍ ହୋଇଥିବା ବେଳେ ଭାରତୀୟ ଟିମ୍ ୩୩୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଠାରୁ ୩୩ ରନ୍ରେ ପଛରେ ରହିଥିଲା । ତେଣୁ ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଟିମ୍ ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଡେଭିଡ଼୍ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ୍ ଭଲ ଆରମ୍ଭ କରିଥିଲେ । ଦଳ ୮୯ରନ୍ରେ ପ୍ରଥମ ଓ୍ୱିକେଟ୍ ରୂପରେ ମାର୍କସ ହାରିସଙ୍କୁ ହରାଇଥିଲା । ଏହାପରେ କିଛି ରନ୍ ବ୍ୟବଧାନରେ ଓ୍ୱିକେଟ୍ ପତନ ହୋଇଥିଲା । ୨ୟ ଇନିଂସରେ ମାର୍କସ ହାରିସ୍ ୩୮ରନ୍, ଲାବୁସେନ୍ ୨୫ରନ୍, ମାଥ୍ୟୁ ଓ୍ୱାଡେ (୦) ରନ୍ରେ ପାଭିଲିୟନ୍ ଫେରିଛନ୍ତି ।
ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ଷ୍ମିଥ୍ ୫୫ ରନ୍, କାମ୍ରନ ଗ୍ରୀନ୍ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଛନ୍ତି । ଫଳରେ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହାସହ ଭାରତଠୁ ୩୨୭ ରନରେ ଆଗୁଆ ରହିଛି । ଅର୍ଥାତ ଭାରତକୁ ଜିତିବା ପାଇଁ ହେଲେ ୩୨୮ ରନ୍ ଆବଶ୍ୟକ ।
ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍ ନେଇଥିଲେ ।