ବ୍ରିସବେନ୍ ଟେଷ୍ଟ : ଶେଷ ଦିନରେ ଶୁଭମନ୍ ଗିଲଙ୍କ ଅର୍ଦ୍ଧଶତକ, ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତ ୮୩/୧

Published By : Prameya-News7 Bureau | January 19, 2021 IST

ବ୍ରିସବେନ୍, ୧୯|୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବ୍ରିସବେନ୍ ଟେଷ୍ଟର ମଙ୍ଗଳବାର ହେଉଛି ଶେଷ ଦିନ । ଭାରତକୁ ୩୨୮ ରନ୍‌ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ । ତେବେ ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତ ଗୋଟିଏ ଓ୍ୱିକେଟ୍ ହରାଇ ୭୦ ରନ୍ କରିଛି । ଓପନର ଶୁଭମନ୍ ଗିଲ୍ ଅର୍ଦ୍ଧଶତକ ପୂରଣ କରିଛନ୍ତି ।

ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍‌ରେ ଅଲ୍ଆଉଟ୍‌ ହୋଇଥିବା ବେଳେ ଭାରତୀୟ ଟିମ୍‌ ୩୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୩୩ ରନ୍‌ରେ ପଛରେ ରହିଥିଲା । ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଟିମ୍‌ ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଡେଭିଡ଼୍‌ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ୍‌ ଭଲ ଆରମ୍ଭ କରିଥିଲେ । ଦଳ ୮୯ରନ୍‌ରେ ପ୍ରଥମ ଓ୍ୱିକେଟ୍‌ ରୂପରେ ମାର୍କସ ହାରିସଙ୍କୁ ହରାଇଥିଲା । ଏହାପରେ କିଛି ରନ୍‌ ବ୍ୟବଧାନରେ ଓ୍ୱିକେଟ୍‌ ପତନ ହୋଇଥିଲା । ୨ୟ ଇନିଂସରେ  ମାର୍କସ ହାରିସ୍‌ ୩୮ରନ୍‌, ଲାବୁସେନ୍‌ ୨୫ରନ୍‌, ମାଥ୍ୟୁ ଓ୍ୱାଡେ (୦) ରନ୍‌ରେ ପାଭିଲିୟନ୍‌ ଫେରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ୍‌ ଷ୍ମିଥ୍‌ ୫୫ ରନ୍‌, କାମ୍‌ରନ ଗ୍ରୀନ୍‌ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଛନ୍ତି । ଫଳରେ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହାସହ ଭାରତକୁ ୩୨୮ ରନର ଟାର୍ଗେଟ୍ ମିଳିଥିଲା । ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍‌ ନେଇଥିଲେ ।  

ଟାର୍ଗେଟକୁ ପିଛା କରିବା ପାଇଁ ଦ୍ୱିତୀୟ ଇନିଂସରେ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ । ରୋହିତ ୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ଶୁଭମନ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ପୂରଣ କରିଛନ୍ତି । ସେ ୬୪ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୮ ରନରେ ବ୍ୟାଟିଂ କରୁଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ଇନିଂସରେ ପ୍ୟାଟ୍ କ୍ୟୁମିନ୍ସ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.