ବକ୍ସିଂ ଡେ’ ଟେଷ୍ଟ୍ : ଅର୍ଦ୍ଧଶତକରୁ ବଞ୍ଚିତ ହେଲେ ଶୁଭମନ ଗିଲ୍, ଏବେସୁଦ୍ଧା ଭାରତ ୧୧୬/୪
27/12/2020 at 8:25 AM

ମେଲବର୍ଣ୍ଣ,୨୭/୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନର ଆରମ୍ଭରୁ ଭାରତକୁ ତିନୋଟି ଝଟକା ଲାଗିଛି । ପ୍ରଥମ ଦିନର ଖେଳ ୩୬-୧ରୁ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିନ ଲଞ୍ଚ୍ ବ୍ରେକ୍ ସୁଦ୍ଧା ୩ଟି ଓ୍ୱିକେଟ୍ ହରାଇ ସାରିଥିଲା । ଲଞ୍ଚ୍ ବ୍ରେକ୍ ପରେ ଦଳ ଆଉ ଗୋଟିଏ ଓ୍ୱିକେଟ୍ ହରାଇଥିଲା । ଦଳ ଏବେ ୪ ଓ୍ୱିକେଟ୍ ବିନିମୟରେ ୧୧୬ ରନରେ ବ୍ୟାଟିଂ କରୁଛି ।
ଦ୍ୱିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ଆରମ୍ଭରୁ ଝଟକା ଲାଗିଥିଲା । ଦଳର ଓପନର ଜୋଏ ବର୍ଣ୍ଣସ୍ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ମାଥ୍ୟୁ ଓ୍ୱାଡେ ୩୦ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ୦, ଟ୍ରାଭିସ୍ ହେଡ୍ ୩୮, କ୍ୟାମେରନ୍ ଗ୍ରୀନ୍ ୧୨ ଓ ଟିମ୍ ପେନ୍ ୧୩ ରନ୍ କରି ଆଉଟ୍ ହୋଇଥିଲେ । ଚା ବିରତି ବେଳକୁ ଅଷ୍ଟ୍ରେଲିଆ ୫ଟି ଓ୍ୱିକେଟ ହରାଇ ସଙ୍କଟରେ ପଡିଥିଲା । ସେହିପରି ମିଚେଲ୍ ଷ୍ଟାର୍କ ୭, ନାଥାନ ଲାୟନ ୨୦ କରି ଆଉଟ୍ ହୋଇଥିଲେ । ଭାରତୀୟ ବୋଲରଙ୍କ ସାମ୍ନା କରିବାରେ ଅଷ୍ଟ୍ରେଲିଆ ଟିମ୍ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଭାରତ ପକ୍ଷରୁ ଜସପ୍ରିତ ବୁମରାହ ୪ ଓ୍ୱିକେଟ୍ ନେଇଥିବା ବେଳେ ଆର ଅଶ୍ୱିନ ତିନୋଟି, ମହମ୍ମଦ ସିରାଜ ୨ଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ଶିକାର କରିଥିଲେ ।
ସେହିପରି ଭାରତ ପ୍ରଥମ ଇନିଂସ ଆରମ୍ଭରେ ବିନା କୌଣସି ରନରେ ଗୋଟିଏ ଓ୍ୱିକେଟ୍ ହରାଇଥିଲା । ମୟଙ୍କ ଅଗ୍ରଓ୍ୱାଲ ୦ ରନ୍ କରି ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏହାପରେ କ୍ରିଜରେ ଶୁଭମନ ଗିଲ୍ ଓ ଚେତଶ୍ୱର ପୂଜାରା ବ୍ୟାଟିଂ କରିବାକୁ ଆସିଥିଲେ । ପ୍ରଥମ ଦିନରେ ଦଳର ସ୍କୋର ଗୋଟିଏ ଓ୍ୱିକେଟ୍ ବିନିମୟରେ ୩୬ ରହିଥିଲା ।
ତେବେ ଦ୍ୱିତୀୟ ଦିନରେ ଭାରତ ଭାରତୀୟ. ସମୟ ସକାଳ ୮ଟା ୨୦ ସୁଦ୍ଧା ୪ଟି ଓ୍ୱିକେଟ୍ ହରାଇ ସାରିଛି । ପ୍ରଥମ ଦିନ କ୍ରିଜରେ ଥିବା ଶୁଭମନ ୪୫ ଓ ଚେତେଶ୍ୱର ପୂଜାରା ୧୭ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ହନୁମା ବିହାରୀ ୨୧ ରନରେ ପ୍ୟାଭିଲିୟନ ଫେରିଥିଲେ । ଏବେ କ୍ରିଜରେ ଆଜିଙ୍କ୍ୟ ରାହାଣେ ୨୧ ଓ ଋଷଭ ପନ୍ତ ବ୍ୟାଟିଂ କରୁଛନ୍ତି ।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କ୍ୟୁମିନ୍ସ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ଓ ନାଥାନ ଲାୟନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।