ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ

Published By : Prameya-News7 Bureau | December 04, 2020 IST

କାନବେରା,୦୪|୧୨: ଆଜିଠୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଶୁକ୍ରବାର ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି   ଶେଷ କରିଛନ୍ତି। ଟି-ଟ୍ୱେଣ୍ଟିରେ ସର୍ବଦା ଭଲ ପ୍ରଦର୍ଶନ କରୁଥିବା ଭାରତ ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ। ଅନ୍ୟ ପଟରେ ଘରୋଇ ଦଳ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଜିତିବା ପରେ ଆତ୍ମବିଶ୍ୱାସରେ ଭରପୁର ରହିଛି ।

ଉଭୟ ଦଳ ଏହି ୩ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ହାଲ୍‌କା ଗ୍ରହଣ କରିବେ ନାହିଁ। କାରଣ ଆସନ୍ତା ବର୍ଷ ରହିଛି ଟି୨୦ ବିଶ୍ୱକପ । ଏବେଠୁ ଏକ ସନ୍ତୁଳିତ ଦଳ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଟି୨୦ରେ ଭାରତୀୟ ଦଳ କୌଣସି ତ୍ରୁଟି ନକରି ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ।

ଦିନିକିଆ ସିରିଜର ପ୍ରଦର୍ଶନକୁ ବିଚାରକୁ ନେଲେ ଆଜି ଅଷ୍ଟ୍ରେଲିଆର ପଲା ଭାରି ରହିବା ସ୍ୱାଭାବିକ। ଦଳର ଆତ୍ମବିଶ୍ୱାସ ଭରପୁର ରହିଛି । ଆରୋନ୍‌ ଫିଞ୍ଚ, ଷ୍ଟିଭେନ ସ୍ମିଥ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ତଥାପି ଆହତ ଡେଭିଡ୍‌ ୱାର୍ଣ୍ଣରଙ୍କ ଅନୁପସ୍ଥିତି ଅନୁଭବ କରିବ ଘରୋଇ ଦଳ। ଦଳର ବୋଲିଂ ବିଭାଗ ମଧ୍ୟ ବେଶ୍‌ ଶକ୍ତିଶାଳୀ । ଏକାଧିକ ଅଲ୍‌ରାଉଣ୍ଡର ଦଳରେ ରହିଥିବାରୁ ଭାରତୀୟ ବ୍ୟାଟିଂ ବିଭାଗକୁ ନେଇ ଅଷ୍ଟ୍ରେଲିଆ ସେତେଟା ଚିନ୍ତିତ ନୁହେଁ ।

ଭାରତୀୟ ଦଳରେ ବ୍ୟାଟ୍ସମ୍ୟାନଙ୍କ ଅଭାବ ନାହିଁ । ତଥାପି ରୋହିତ ଶର୍ମାଙ୍କ ବ୍ୟାଟିଂକୁ ଭୁଲିବା କଷ୍ଟକର। ଉପ ଅଧିନାୟକ କେଏଲ ରାହୁଲ ଓ ଶିଖର ଧାୱନ ଆଜି ଓପନିଂ କରିପାରନ୍ତି । ମଧ୍ୟଭାଗରେ ବିରାଟ କୋହଲି, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ସଞ୍ଜୁ ସାମସନ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା ନାହିଁ । ବୋଲିଂ ବିଭାଗ ମଧ୍ୟ ସୁଦୃଢ ରହିଛି। ଦୀପକ ଚହର, ଜଶପ୍ରୀତ ବୁମରାହ ଓ ଟି ନଟରାଜନ ପେସ୍‌ ବିଭାଗ ସମ୍ଭାଳିବେ। ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ସ୍ପିନ୍ ବିଭାଗ ସମ୍ଭାଳିବେ । ମ୍ୟାଚରେ ଟସ ଗୁରୁତ୍ୱପୂର୍ଣ୍ଣ ଭୂମିକ ଗ୍ରହଣ କରିବ । ଫଳରେ ଟସ୍‌ ଜିତିଲେ ଦଳ ବ୍ୟାଟିଂ ନିଷ୍ପତ୍ତି ନେବ ବୋଲ କ୍ରିକେଟ ସମୀକ୍ଷକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.