ବ୍ରିସବେନ୍ ଟେଷ୍ଟ : ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ଭାରତ ୪/୦, ଇତିହାସ ରଚିବାକୁ ଦରକାର ଆଉ ୩୨୪ ରନ୍
18/01/2021 at 2:37 PM

ବ୍ରିସବେନ୍,୧୮/୦୧: ବର୍ଷା ବାଧାପ୍ରାପ୍ତ ବ୍ରିସବେନ୍ ଟେଷ୍ଟର ଚତୁର୍ଥ ଦିନରେ ଭାରତ ବିନା କୌଣସି ଓ୍ୱିକେଟ୍ ହରାଇ ୪ ରନ୍ କରିଛି । କ୍ରିଜରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ବ୍ୟାଟିଂ କରୁଛନ୍ତି । ଦଳକୁ ବିଜୟୀ ହେବାକୁ ହେଲେ ଶେଷ ଦିନରେ ଆଉ ୩୨୪ ରନ୍ ଦରକାର ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍ରେ ଅଲ୍ଆଉଟ୍ ହୋଇଥିବା ବେଳେ ଭାରତୀୟ ଟିମ୍ ୩୩୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଠାରୁ ୩୩ ରନ୍ରେ ପଛରେ ରହିଥିଲା । ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଟିମ୍ ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଡେଭିଡ଼୍ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ୍ ଭଲ ଆରମ୍ଭ କରିଥିଲେ । ଦଳ ୮୯ରନ୍ରେ ପ୍ରଥମ ଓ୍ୱିକେଟ୍ ରୂପରେ ମାର୍କସ ହାରିସଙ୍କୁ ହରାଇଥିଲା । ଏହାପରେ କିଛି ରନ୍ ବ୍ୟବଧାନରେ ଓ୍ୱିକେଟ୍ ପତନ ହୋଇଥିଲା । ୨ୟ ଇନିଂସରେ ମାର୍କସ ହାରିସ୍ ୩୮ରନ୍, ଲାବୁସେନ୍ ୨୫ରନ୍, ମାଥ୍ୟୁ ଓ୍ୱାଡେ (୦) ରନ୍ରେ ପାଭିଲିୟନ୍ ଫେରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ୍ ଷ୍ମିଥ୍ ୫୫ ରନ୍, କାମ୍ରନ ଗ୍ରୀନ୍ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଛନ୍ତି । ଫଳରେ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହାସହ ଭାରତକୁ ୩୨୮ ରନର ଟାର୍ଗେଟ୍ ମିଳିଥିଲା । ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
ଟାର୍ଗେଟକୁ ପିଛା କରିବା ପାଇଁ ଦ୍ୱିତୀୟ ଇନିଂସରେ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ । ରୋହିତ ୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଚତୁର୍ଥ ଦିନର ଖେଳକୁ ସାରିବାକୁ ପଡିଥିଲା । ପଞ୍ଚମ ଦିନରେ ଭାରତକୁ ବିଜୟ ପାଇଁ ଆଉ ୩୨୪ ରନ୍ ଆବଶ୍ୟକ ।