ପାକିସ୍ତାନ ବର୍ଡର ଆକ୍ସନ ଟିମ୍ର କମାଣ୍ଡୋ ନିହତ ହେବାପରେ ପାକିସ୍ତାନରେ ହଡକମ୍ପ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଡାକିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ
4/08/2019 at 5:09 PM

ଶ୍ରୀନଗର ୪|୮: ଜାମ୍ମୁକାଶ୍ମୀର କେରାନ୍ ସେକ୍ଟରରେ ଭାରତୀୟ ସୀମାକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ପାକିସ୍ତାନ ବର୍ଡର ଆକ୍ସନ୍ ଟିମ୍ ବା BATର ୫ରୁ ୭ଜଣ କମାଣ୍ଡୋ ଭାରତୀୟ ସେନା ଗୁଳିରେ ମୃତ । ଏହି କମାଣ୍ଡୋମାନଙ୍କ ମୃତଦେହ ନେଇଯିବାକୁ ପାକିସ୍ତାନ ସେନାକୁ ଭାରତୀୟ ସେନା ପ୍ରସ୍ତାବ ଦେଇଥିଲେ ମଧ୍ୟ କିଛି ପ୍ରତିକ୍ରିୟା ଆସିନାହିଁ। ସେପଟେ ପାକ୍ ସରକାର ଘନଘନ ବୈଠକ ଡାକିଛନ୍ତି।

LOC ନିକଟରେ ବିକ୍ଷିପ୍ତ ହୋଇ ପଡି ରହିଛି ୫ରୁ ୭ ମୃତଦେହ । ସୀମାର କେରାନ ସେକ୍ଟରରେ ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ତେବେ ପ୍ରାଣ ହରାଇଥିବା ଏହି ୭ ଜଣ ପାକ୍ ଟେରରିଷ୍ଟ ବେଶରେ ଆସିଥିଲେ ଆଉ ଅସଲରେ ପାକିସ୍ତାନ ବଡର ଆକ୍ସନ୍ ଟିମ୍ ବା BATର କମାଣ୍ଡୋ ।

ପ୍ରାଣ ହରାଇଥିବା କମାଣ୍ଡୋଙ୍କ ମୃତଦେହଗୁଡ଼ିକର ସାଟେଲାଇଟ ଫଟୋ ଜାରି କରାଯାଇଛି । ଜୁଲାଇ ୩୧ରୁ ଅଗଷ୍ଟ ୧ତାରଖ ମଧ୍ୟରେ LOCରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଉଦ୍ଦେଶ୍ୟ ଥିଲା ଅମରନାଥ ଯାତ୍ରାରେ ଆତଙ୍କ ଖେଳାଇବା। କିନ୍ତୁ ସିଧା ସେମାନଙ୍କ ଅସଲ ଠିକାନାକୁ ପଠାଇ ଦେଇଛି ଭାରତୀୟ ସେନା। ଆଉ ଧଳା ପତାକା ଦେଖାଇ ମୃତଦେହ ନେଇଯିବା ଲାଗି ପାକିସ୍ତାନ ସେନାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେପଟୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ସେପଟେ ସୀମାରେ ଗୁଳିବିନିମୟ ଚାଲିଥିବା ବେଳେ କାଶ୍ମୀରରେ ଭାରତର ସୈନ୍ୟ ପ୍ରବେଶ ଏବଂ କାଶ୍ମୀରରେ ଯେଉଁଭଳି ଘଟଣାକ୍ରମ ବଢ଼ିବଢ଼ି ଚାଲିଛି ପାକିସ୍ତାନର ଚିନ୍ତା ବଢିଯାଇଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ ଡାକିଛନ୍ତି। ଭାରତୀୟ ସେନା କ୍ଲଷ୍ଟର ବୋମା ପକାଇ ସାଧାରଣ ଲୋକଙ୍କୁ ଟାର୍ଗଟ୍ କରୁଛି ବୋଲି କହିଛି ପାକିସ୍ତାନ। ସୀମାବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ତା ସହିତ ପାକିସ୍ତାନର କିଛି ବି ହରକତର ଜବାବ ଦେବା ଲାଗି ଆଲର୍ଟ ଅଛି ସେନା।