୪ ଭାରତୀୟଙ୍କ ମୁକ୍ତିଲାଗି ଇସ୍ଲାମାବାଦ ହାଇକୋର୍ଟକୁ ଗଲା ଭାରତ

Published By : Prameya-News7 Bureau | October 15, 2020 IST

ଇସ୍ଲାମାବାଦ ୧୫।୧୦:  ପାକିସ୍ତାନ ଜେଲରେ ବନ୍ଦୀ ୪ ଭାରତୀୟଙ୍କ ମୁକ୍ତି ଲାଗି ଇସ୍ଲାମାବାଦ ହାଇକୋର୍ଟରେ ଗୁରୁବାର ପିଟିସନ ଦାଖଲ କରିଛି ଭାରତ। ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗଙ୍କ ପ୍ରଥମ ସଚିବ ଅର୍ପଣା ରାୟ ୩ ପାକିସ୍ତାନୀ ଓକିଲଙ୍କ ମାଧ୍ୟମରେ ହାଇକୋର୍ଟଙ୍କୁ ପିଟିସନ ଦେଇଛନ୍ତି। ଯେଉଁ ୪ ଭାରତୀୟ ନାଗରିକଙ୍କ ମୁକ୍ତି ଲାଗି ଏହି ପିଟିସନ ଦାଖଲ ହୋଇଛି ସେମାନେ ସମସ୍ତେ ପାକିସ୍ତାନ ସେନା ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ଦଣ୍ଡ ପୁରଣ କରିସାରିଛନ୍ତି।

ବିରଜୁ ଡୁଂଡୁଂ, ବିଜ୍ଞାନ କୁମାର, ସତୀଶ ଭୋଗ ଓ ସୋନୁ ସିଂହଙ୍କ ଲାଗି ଉଚ୍ଚାୟୋଗ କୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି। ସମସ୍ତ ୪ ଜଣ ଭାରତୀୟ ବନ୍ଦୀ କରାଚୀ ଜେଲରେ ଅଛନ୍ତି। ଏମାନେ ଯେହେତୁ ପାକ୍ ସୈନ୍ୟ ଅଦାଲତଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡ ଭୋଗିସାରିଛନ୍ତି ତେହେତୁ ସେମାନଙ୍କୁ ମୁକ୍ତ କରାଯାଉ ବୋଲି ଯୁକ୍ତି କରାଯାଇଛି।

ଏହି କୈଦୀମାନଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ଅଧିକାରୀକ ଗୋପନୀୟତା  ଅଧିନିୟମରେ ସେମାନଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିବା ବେଳେ ପ୍ରଥମରୁ ଅଭିଯୁକ୍ତମାନେ ସେମାନଙ୍କ ବିରୋଧରେ ଆଗତ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ତଥାପି ସେମାନଙ୍କୁ ସୈନ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡିତ କରିଥିଲେ। ସେମାନେ ଦଣ୍ଡ ପୂରଣ କରିସାରିଥିବା ବେଳେ ଜେଲରେ ଏବେବି ବନ୍ଦୀ ଅଛନ୍ତି।

ଏହି ବନ୍ଦୀମାନଙ୍କ ମୁକ୍ତିଲାଗି ବୈଦେଶିକ ମନ୍ତ୍ରାଳୟ ଅକ୍ଟୋବର ୨୦୧୯ ଓ ମେ ୨୦୨୦ରେ ଔପଚାରିକ ଭାବେ ପାକିସ୍ତାନକୁ ପତ୍ର ଲେଖି ସୂଚିତ ମଧ୍ୟ କରାଯାଇଥିଲା। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ପାକିସ୍ତାନ ଜେଲରୁ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିନାହିଁ। ଏଣୁ ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତି କରିବା ସହ ସେମାନଙ୍କୁ ଭାରତକୁ ଛାଡିବା ଲାଗି ହାଇକମିସନ ପିଟିସନରେ ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.