୬ପଡୋଶୀ ଦେଶଙ୍କ କରୋନା ଟିକା ଆବଶ୍ୟକତା ପୂରଣ କରିବ ଭାରତ, ପାକିସ୍ତାନ ଜଳକା
19/01/2021 at 10:24 PM

ନୂଆଦିଲ୍ଲୀ ୧୯।୧: କୋଭିଡ ଭାଇରସ ମୁକାବିଲା ଲାଗି ଭାରତ କେବଳ ନିଜର ଟିକା ବିକାଶ କରିନି ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ କରିସାରିଲାଣି। ଭାରତ ବିକଶିତ ଟିକା କେବଳ ଦେଶର ନାଗରିକଙ୍କୁ ନୁହେଁ ପଡୋଶୀ ଦେଶଙ୍କୁ ମଧ୍ୟ ଦିଆଯିବ। ଏ ନେଇ ଭାରତ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି।

ସରକାରଙ୍କ ଘୋଷଣା ମୁତାବକ ବୁଧବାରଠାରୁ ପଡୋଶୀ ଭୁଟ୍ଟାନ, ମାଲଦ୍ୱୀପ, ବାଂଲାଦେଶ, ମ୍ୟାଁମାର, ନେପାଲ ଓ ସେସେଲସ୍କୁ କୋଭିଡ-୧୯ ଟିକା ଯୋଗାଣ ଆରମ୍ଭ ହେବ। ତେବେ ଭାରତଠାରୁ ଟିକା ନେଉଥିବା ଦେଶଙ୍କ ସୂଚୀରେ ନିକଟତମ ପଡୋଶୀ ପାକିସ୍ତାନର ନାମ ନାହିଁ। ଏଥିରୁ ଭାରତ ପ୍ରସ୍ତୁତ ଟିକା ପାକିସ୍ତାନ ପାଉନଥିବା ସ୍ପଷ୍ଟ ହୋଇଯାଇଛି।

ଟିକା ଯୋଗାଣ ଲାଗି ଭାରତ ଅନ୍ୟତମ ନିକଟ ପଡୋଶୀ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ମରିସସ୍ର ସ୍ୱୀକୃତିକୁ ଅପେକ୍ଷା କରିଛି। ଭାରତୀୟ ଟିକାକୁ ଏହି ସବୁ ଦେଶଙ୍କ ଜରୁରି ନିୟାମକ ମଞ୍ଜୁରି ମିଳିଲେ ସେମାନଙ୍କୁ ମଧ୍ୟ ଟିକା ଯୋଗାଣ ହେବ। ଏହା ଛଡା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦେଶମାନେ ମଧ୍ୟ ଟିକା ଲାଗି ଅନୁରୋଧ କରିଛନ୍ତି। ଭାରତ ମଧ୍ୟ ସେମାନଙ୍କ ଅନୁରୋଧର ପ୍ରତିକ୍ରିୟା ଦେଇଥିବା ବୈଦେଶିକ ମନ୍ତ୍ରାଳୟ ମଙ୍ଗଳବାର କହିଛନ୍ତି।

ନୀତି ଓ ମାନବିକତା ଆଧାରରେ ଭାରତ ପଡୋଶୀ ଓ ଗୁରୁତ୍ୱପୂର୍ଣ୍ଣ ସହଯୋଗୀଙ୍କୁ ଟିକା କ୍ଷେତ୍ରରେ ଯଥାସମ୍ଭବ ସହାୟତା କରିବ ବୋଲି ମନ୍ତ୍ରାଳୟ କହିଛନ୍ତି। କୋଭିଡ ମହାମାରୀ ବିରୋଧରେ ମାନବତାର ଲଢେଇରେ ଭାରତ ସମସ୍ତଙ୍କୁ ସାଥ ଦେବ ବୋଲି କୁହାଯାଇଛି। ତେବେ ଏଥିରେ ପାକିସ୍ତାନ ଏପର୍ଯ୍ୟନ୍ତ ଟିକା ଲାଗି ଭାରତ ସରକାରଙ୍କୁ ଅନୁରୋଧ କରି ନଥିବାରୁ ଏ ନେଇ ସରକାର ମଧ୍ୟ ପ୍ରତିକ୍ରିୟା ଶୂନ୍ୟ ଅଛନ୍ତି।

ପାକିସ୍ତାନରେ କୋଭିଡ-୧୯ର ଏବେବି ପ୍ରକୋପ ଜାରି ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭାବ ଓ ଅନ୍ୟ ପରିସ୍ଥିତି ଲାଗି କରୋନା ଜଟିଳ ରୂପ ଧାରଣ କରିଛି। ତେବେ ଆତଙ୍କବାଦ ଲାଗି ଦୀର୍ଘ ସମୟରୁ ଭାରତ-ପାକ୍ ସମ୍ପର୍କରେ ଫାଟ ପଡିଥିବା ବେଳେ ପାକିସ୍ତାନ ନିଜ ଆଡୁ ଭାରତ ସହ ସମସ୍ତ ସମ୍ପର୍କ ତୁଟେଇ ଦେଇଛି। କୋଭିଡ ସହାୟତା କ୍ଷେତ୍ରରେ ମଧ୍ୟ ପାକିସ୍ତାନ ନିଜକୁ ଭାରତଠୁ ଦୂରେଇନେଇଛି।